କୋଲକାତା,୩୧।୫: ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ କାର୍ଯ୍ୟମୁକ୍ତ ନ କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାର ସମ୍ପ୍ରତି ସଙ୍କଟ ଜନକ ସ୍ଥିତିରେ ରହିଛନ୍ତି। ତେଣୁ ଅଲପନଙ୍କୁ ଏବେ କାର୍ଯ୍ୟମୁକ୍ତ କରିବା ସମ୍ଭବ ହେବ ନାହିଁ ବୋଲି ମମତା ଚିଠିରେ ଉଲ୍ଲେଖ କରିଛନ୍ତି। ମେ’ ୨୮ରେ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ଅଲପନଙ୍କ କାର୍ଯ୍ୟମୁକ୍ତି ନେଇ ଚିଠି ଲେଖାଯାଇଥିଲା। ମେ’ ୩୧ ପୂର୍ବାହ୍ନ ୧୦ ପୂର୍ବରୁ ରିପୋର୍ଟ କରିବା ଲାଗି ଅଲପନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପଶ୍ଚିମବଙ୍ଗରେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ମେ’୨୪ରେ ଅଲପନଙ୍କ କାର୍ଯ୍ୟକାଳକୁ ୩ ମାସ ବୃଦ୍ଧି କରାଯିବା ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରାଯାଇଥିଲା।