Categories: ଜାତୀୟ

ଇଭିଏମ୍‌ରେ ମମତାଙ୍କ ଭାଗ୍ୟ ସିଲ୍‌

କୋଲକାତା,୩୦।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାଇପ୍ରୋଫାଇଲ ଆସନ ଭବାନୀପୁରରେ ଗୁରୁବାର ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ଏଠାରେ ଅପରାହ୍ନ ୫ଟା ସୁଦ୍ଧା ୫୩.୩୨% ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ଭବାନୀପୁର ଆସନରୁ ଦୁଇଥର ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଗତ ଏପ୍ରିଲ-ମେ’ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ମମତା ଭାଜପାର ଶୁଭେନ୍ଦୁ ଅଧିକାରୀଙ୍କୁ ଟକ୍କର ଦେବାକୁ ଯାଇ ନନ୍ଦିଗ୍ରାମ ଆସନରୁ ପରାଜିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ମମତାଙ୍କୁ ୬ ମାସ ଭିତରେ ବିଧାନସଭାକୁ ନିର୍ବାଚିତ ହେବା ଜରୁରୀ ଥିବାରୁ ଟିଏମ୍‌ସି ଟିକେଟରେ ଜିତିଥିବା ଶୋଭନଦେବ ଚଟ୍ଟୋପାଧ୍ୟାୟ ଭବାନୀପୁର ଆସନ ତାଙ୍କ ପାଇଁ ଛାଡ଼ିଦେଇଥିଲେ। ମମତା ଏହି ନିର୍ବାଚନମଣ୍ଡଳୀର ଭୋଟର ହୋଇଥିବାରୁ ମିତ୍ର ଇନ୍‌ଷ୍ଟିଚ୍ୟୁଶନ ସ୍କୁଲରେ ମତଦାନ କରିଛନ୍ତି। ଏହାସହ ମମତାଙ୍କ ଭାଗ୍ୟ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌)ରେ ସିଲ୍‌ ହୋଇଯାଇଛି। ଭବାନୀପୁରର ଏକ ବୁଥ୍‌ ବାହାରେ ଟିଏମ୍‌ସି ଏବଂ ଭାଜପା ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଶାସକ ଦଳ ପୋଲିଂ ସେଣ୍ଟରେ ଭୋଟ ଜାଲିଆତି କରିଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଟିଏମ୍‌ସି ମଧ୍ୟ ତିବ୍ରଓ୍ବୋଲଙ୍କ ବିରୋଧରେ ୨୦ କାର୍‌ ବୁଲାଇବା ଏବଂ ଭୋଟରଙ୍କୁ ଧମକ ଦେବା ଅଭିଯୋଗ ଆଣିଛି।

ସେହିପରି ଗତ ନିର୍ବାଚନ ବେଳେ ମୁର୍ଶିଦାବାସର ସମଶେରଗଞ୍ଜ ଓ ଜାଙ୍ଗିପୁର ନିର୍ବାଚନମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦୁଇଜଣ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁଇ ଆସନରେ ମଧ୍ୟ ଭୋଟ ଗ୍ରହଣ କରାଯାଇଛି। ସମଶେରଗଞ୍ଜରେ ୭୮.୬୦% ଏବଂ ଜାଙ୍ଗିପୁର ଆସନରେ ୭୬.୧୨% ମତଦାନ ହୋଇଛି।

Share