Categories: ଜାତୀୟ

କୋଭିଡ୍‌ ଭାକ୍ସିନ ପ୍ରମାଣପତ୍ରରେ ମୋଦିଙ୍କ ଫଟୋ : ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲା ଟିଏମ୍‌ସି

ନୂଆଦିଲ୍ଲୀ,୩।୩ : ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବୁଧବାର ନିର୍ବାଚନ ଆୟୋଗ (ଇସି)ଙ୍କ ଦ୍ୱାରସ୍ଥ ହୋଇଛି। ପଶ୍ଚିମ ବଙ୍ଗରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ବିଜ୍ଞାପନରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହେରା ବ୍ୟବହାର ହୋଇଛି, ଯାହାକି ସରକାରୀ ଯନ୍ତ୍ରର ଅପବ୍ୟବହାର। ଏହି ଅଭିଯୋଗ ନେଇ ଇସି ଅଧିକାରୀଙ୍କୁ ବୁଧବାର ଭେଟିଛନ୍ତି ପଶ୍ଚିମ ବଙ୍ଗ ସରକାରଙ୍କ ଏକ ପ୍ରତିନିଧି ଦଳ।

”ପେଟ୍ରୋଲ ପମ୍ପରେ ଲାଗିଥିବା କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କିତ ହୋର୍ଡିଂରେ ମୋଦିଙ୍କ ଫଟୋ ସ୍ଥାନ ପାଇଛି। ଏହି ବାବଦରେ ଆମେ ନିର୍ବାଚନ ଆୟୋଗର ହସ୍ତକ୍ଷେପ ଦାବି କରୁଛୁ“ ବୋଲି ଇସି ଅଧିକାରୀଙ୍କ ସହ ଭେଟିବା ପରେ ମନ୍ତ୍ରୀ ଫିର୍ହାଦ ହାକିମ କହିଛନ୍ତି। ଏଥିପୂର୍ବରୁ ଟିଏମ୍‌ସିର ରାଜ୍ୟ ସଭା ଏମ୍‌ପି ଡେରେକ ଓବ୍ରେନ କୋଭିଡ୍‌ ଟିକାକରଣ ପ୍ରମାଣପତ୍ରରେ ମୋଦିଙ୍କ ଫଟୋ ରହିଥିବା ଅଭିଯୋଗ ଆଣିଥିଲେ। କିନ୍ତୁ ଏହି ଅଭିଯୋଗକୁ ଭାଜପା ପକ୍ଷରୁ ଖଣ୍ଡନ କରାଯାଇଛି। ଉଲ୍ଲେଖଥାଉ କି, ଚଳିତ ମାସ ୨୭ରୁ ଏପ୍ରିଲ ୨୯ ତାରିଖ ମଧ୍ୟରେ ୮ ପର୍ଯ୍ୟାୟରେ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Share