ମମିତା ମେହେର ହତ୍ୟା ମାମଲା: ଚାର୍ଜଶିଟ୍‌ ଦାଖଲ କଲା ବଲାଙ୍ଗୀର ପୋଲିସ

ବଲାଙ୍ଗୀର ଅଫିସ,୧୧।୨: କଳାହାଣ୍ଡି ଜିଲାର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟରେ ବଲାଙ୍ଗୀର ପୋଲିସ ପକ୍ଷରୁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ଡ୍ରାଇଭର ରାଧେଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଆସନ୍ତା ୧୫ରେ ଗୋବିନ୍ଦଙ୍କ କୋର୍ଟ ଚାଲାଣ ଅବଧିକୁ ୧୨୦ ଦିନ ପୁରିଥାନ୍ତା। ଏହାପୂର୍ବରୁ ପୋଲିସ ଚାର୍ଜଶିଟ୍‌ ଦାଖଲ କରିଥିବା ଶୁକ୍ରବାର ଜଣାପଡ଼ିଛି।

ପ୍ରକାଶ ଯେ, କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ଗତ ବର୍ଷ ଅକ୍ଟୋବର ୮ରୁ ଘରୁ ନିଖୋଜ ହେବା ନେଇ ସିନ୍ଧେକେଲା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଖୋଳତାଡ଼ ପରେ ଗୋବିନ୍ଦଙ୍କୁ ପୋଲିସ ଅଟକ ରଖିଥିଲା। ହେଲେ ସେ ଅକ୍ଟୋବର ୧୭ରେ ଚକ୍‌ମା ଦେଇ ଫେରାର ହୋଇଯାଇଥିଲେ। ଅକ୍ଟୋବର ୧୯ ପୂର୍ବାହ୍ନରେ ମହାଲିଙ୍ଗ ସରକାରୀ ହାଇସ୍କୁଲ ପଡ଼ିଆରୁ ପ୍ରାୟ ୧୦ ଫୁଟ ମାଟିତଳୁ ପୋଲିସ ମମିତାଙ୍କ ମୃତଦେହର ପୋଡ଼ା ଅଂଶ ଜବତ କରିଥିଲା। ସେହିଦିନ ସନ୍ଧ୍ୟାରେ ବଙ୍ଗେମୁଣ୍ଡା ବ୍ଲକ ଅନ୍ତର୍ଗତ ବୁଡିପଦର ଗାଁର ଏକ ଆଖୁ କିଆରିରୁ ଗୋବିନ୍ଦଙ୍କୁ ଗିରଫ କରାଯାଇଥିଲା।

Share