Categories: ଜାତୀୟ

ମମତାଙ୍କ ଦାବି ଦେଶରେ ହେଉ ୪ ରାଜଧାନୀ

କୋଲକାତା,୨୩ ।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଦାବି କରିଛନ୍ତି କି ଦେଶରେ ୪ଟି ରାଜଧାନୀ ହେଉ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତି ଅବସରରେ ରାଜଧାନୀ କୋଲକାତାରେ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ମମତା ଏହି ଦାବି ଉଠାଇଛନ୍ତି । ସେ କହିଛନ୍ତି ମୋ ମତରେ ଦେଶରେ ୪ଟି ରାଜଧାନୀ ହେବା କଥା । ଇଂରେଜମାନେ ସାରା ଦେଶକୁ କୋଲକାତାରୁ ଶାସନ କରୁଥିଲେ । ତେଣୁ ଆମ ଦେଶରେ କାହିଁକି ଗୋଟିଏ ରାଜଧାନୀ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ପୂର୍ବରୁ ମମତା କହିଥିଲେ ନେତାଜୀ ଜୟନ୍ତିକୁ ଆମେ ‘ଦେଶନାୟକ ଦିବସ’ ଭାବେ ପାଳନ କରିବା ଉଚିତ । କାରଣ ରବିନ୍ଦ୍ରନାଥ ଟାଗୋର ନେତାଜୀଙ୍କୁ ଦେଶନାୟକ ବୋଲି କହୁଥିଲେ । ତେଣୁ ଏବେ ଏହାକୁ ପରାକ୍ରମ କାହିଁକି କୁହାଯାଉଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେତେବେଳେ ନେତାଜୀ ଇଣ୍ଡିଆନ ନ୍ୟାଶନାଲ ଆର୍ମି ଗଠନ କରିଥିଲେ ସେତେବେଳେ ଗୁଜରାଟ, ପଶ୍ଚିମବଙ୍ଗ, ତାମିଲନାଡୁ ଲୋକଙ୍କୁ ଏକାଠି କରିଥିଲେ । ସେ ବ୍ରିଟିଶ ବିଭାଜନ ଓ ନୀତି ବିରୋଧରେ ଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ନେତାଜୀ ଜୟନ୍ତି ପାଳନକୁ ନେଇ ସେ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବେ ।

Share