Categories: ଜାତୀୟ

କେନ୍ଦ୍ର ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇବା ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଇମ୍ଫାଲ,୧୬।୬: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ତେବେ ଗୁରୁବାର ବିଳମ୍ବିତ ରାତିରେ ଉଗ୍ରବାଦୀମାନେ ଇମ୍ଫାଲରେ କେନ୍ଦ୍ରୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଆର.କେ ରଂଜନ ସିଂଙ୍କ ବାସଭବନରେ ପେଟ୍ରୋଲ ବୋମା ପକାଇ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଘେରିଛନ୍ତି ବିରୋଧୀ।

ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି, ମଣିପୁରରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଥିଲା। କିନ୍ତୁ ମନ୍ତ୍ରୀଙ୍କ ଘର ପୋଡି ପାଉଁଶ ହୋଇଯାଇଛି। ୧୫୦ ଜଣଙ୍କର ହତ୍ୟା କରାଯାଇଛି। ସେଠାରେ ତୁମର କେନ୍ଦ୍ରୀୟ ଟିମ୍‌ ନିଷ୍କ୍ରିୟ ରହିଛି।

କଂଗ୍ରେସ କହିଛି ଯେ, ମଣିପୁରର ପରିସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ନେଇ ନିରବ ରହିଛନ୍ତି। ଦଳର ସାଧାରଣ ସମ୍ପାଦକ କେ.ସି ଭେଣୁଗୋପାଲ ସରକାରଙ୍କୁ ଟାର୍ଗେଟ କରି କରିଛନ୍ତି, ଗତ ୪୦ ଦିନ ଧରି ରାଜ୍ୟ ଜଳୁଛି। କ୍ଷମତାରେ ଥିବା ବ୍ୟକ୍ତିମାନେ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସାହାଯ୍ୟରେ ଉଗ୍ରବାଦୀଙ୍କୁ ସାହାଯ୍ୟ କରୁଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏନେଇ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ମଣିପୁରକୁ ଏକ ସର୍ବଦଳୀୟ ପ୍ରତିନିଧୀ କମିଟି ପଠାଯିବା ଉଚିତ୍‌। ଭାଜପାର ଘୃଣା ରାଜନୀତି ଯୋଗୁ ମଣିପୁର ୪୦ ଦିନ ଧରି ଜଳୁଛି। ଯେଉଁଥିପାଇଁ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ପ୍ରଧାନମନ୍ତ୍ରୀ ଭାରତକୁ ଛାଡି ଦେଇଛନ୍ତି ଏବଂ ସମ୍ପୂର୍ଣ୍ଣ ନିରବ ଅଛନ୍ତି।

Share