Categories: ଜାତୀୟ

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା

ହାଇଦ୍ରାବାଦ,୩୧।୩: ତେଲେଙ୍ଗାନାର ବିକାରାବାଦ ଜିଲାର ଏକ ଗାଁରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ସମ୍ପୃକ୍ତ ୨୦ ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଛି। ୧୬ ବର୍ଷୀୟା ନାବାଳିକାଙ୍କ କ୍ଷତବିକ୍ଷତ ମୃତଦେହ ଗାଁର ଉପକଣ୍ଠରୁ ଜାନୁୟାରୀ ୨୮ ତାରିଖରେ ମିଳିଥିଲା। ପରେ ବଳାତ୍କାର ଏବଂ ହତ୍ୟା ମାମଲା ରୁଜୁ କରାଯାଇଥିଲା।

ତଦନ୍ତରୁ ମୁଖ୍ୟ ଅଭିଯୁକ୍ତ ପୀଡ଼ିତାଙ୍କ ପଡ଼ୋଶୀ ବୋଲି ଜଣାପଡ଼ିଥିଲା। ସେ ପୀଡ଼ିତାଙ୍କୁ ପ୍ରେମ ନାଁରେ ଫସାଇଥିଲେ। ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଘଟଣା ଦିନ ଜାନୁୟାରୀ ୨୮ ତାରିଖରେ କିଛି ଆଲୋଚନା କରିବା ପାଇଁ ନାବାଳିକାଙ୍କୁ ଗାଁ ଉପକଣ୍ଠକୁ ଡକାଇଥିଲେ। ସେଠାରେ ତାଙ୍କ ସହ ଆଲୋଚନା ପରେ ଅଭିଯୁକ୍ତ ପୀଡ଼ିତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। କିନ୍ତୁ ନାବାଳିକା ମନା କରି ଦେବାରୁ ସେ ଉତ୍ତ୍ୟକ୍ତ ହୋଇ ତାଙ୍କ ମୁଣ୍ଡକୁ ଗଛରେ ପିଟି ଦେଇଥିଲେ। ଯାହା ଫଳରେ ସେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ।

ତା’ ପରେ ଅଭିଯୁକ୍ତ ପୀଡ଼ିତାଙ୍କୁ କିଛି ଦୂରକୁ ଟାଣି ନେଇ ବଳାତ୍କାର କରିଥିଲେ। ଏଥି ଯୋଗୁ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା।

Share