Categories: Uncategorized

ଭାରତ-ପାକିସ୍ତାନ ମ୍ୟାଚ୍‌ ବେଳେ ଷ୍ଟାଡିୟମକୁ ବୋମାରେ ଉଡାଇବାକୁ ଧମକ ଦେଇଥିବା ବ୍ୟକ୍ତି ଗିରଫ

ଅହମ୍ମଦାବାଦ,୧୧।୧୦: ବିଶ୍ୱକପ୍‌ରେ ଅକ୍ଟୋବର ୧୪ରେ ଭାରତ-ପାକିସ୍ତାନ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମହାମୁକାବିଲା ଖେଳାଯିବ। ଏହି ମୁକାବିଲାର କ୍ରେଜ୍‌ ଅଧିକ ଥିବାରୁ ଷ୍ଟାଡିୟମରେ ଦର୍ଶକ ଭରପୂର ହେବାର ଆଶଙ୍କା କରାଯାଉଛି। କେବଳ ଦର୍ଶକ ନୁହନ୍ତି ସେଲିବ୍ରିଟିମାନେ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ରହି ମୁକାବିଲାର ଆନନ୍ଦ ଉଠାଇପାରନ୍ତି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ଏହି କ୍ରମରେ ଗୁଜରାଟ ପୋଲିସ ଷ୍ଟାଡିୟମକୁ ବୋମା ଯୋଗେ ଉଡାଇ ଦେବାର ଧମକ ଦେଇଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଜଣଙ୍କ ହେଲେ କରଣ ମାଭି। ସେ ମଧ୍ୟପ୍ରଦେଶ ଧାର ଜିଲାର ବାସିନ୍ଦା। ତେବେ ସେ କିଛିଦିନ ତଳେ ବିସିସିଆଇକୁ ଏକ ଧମକପୂର୍ଣ୍ଣ ଇମେଲ ପଠାଇବା ପରେ ଯାଞ୍ଚ ଏଜେନ୍ସି ତଦନ୍ତ କରି ତାଙ୍କୁ ଗିରଫ କରିଛି। ଧାରା ୫୦୫(୧) ଏବଂ ୫୦୬(୨) ଅନୁଯାୟୀ ତାଙ୍କ ବିପକ୍ଷରେ ମାମଲା ରୁଜୁ କରାଯାଇଛି। ଏହା ପୂର୍ବରୁ ମଧ୍ୟପ୍ରଦେଶରେ ବଳାତ୍କାର ଏବଂ ମାନବଚାଲାଣ ଭଳି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣାପଡ଼ିଛି।