Categories: ଜାତୀୟ

ଭାଜପା ଜିତିବା ଖୁସିରେ ଆଙ୍ଗୁଠି କାଟି ମା’ କାଳିଙ୍କ ନିକଟରେ ସମର୍ପଣ କଲେ ଏହି ବ୍ୟକ୍ତି

ରାୟପୁର,୯।୬: ଗତ ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ଏନ୍‌ଡିଏ ମେଣ୍ଟ ପୁଣିଥରେ ସରକାର ଗଢ଼ିବା ସ୍ପଷ୍ଟ ହୋଇଛି। ହେଲେ ଜୁନ ୪ ଭୋଟଗଣତି ହେବା ଦିନ ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ଆଗୁଆ ରହିଥିଲା। ଏହାଦେଖି ଛତିଶଗଡ଼ର ଜଣେ ଭାଜପା ସମର୍ଥକ ଅଜବ କାଣ୍ଡ ଘଟାଇଛନ୍ତି। ସେ ପ୍ରଥମେ କାଳି ମନ୍ଦିର ଯାଇ ଦଳ ବିଜେତା ହେବା ଲାଗି ପ୍ରାର୍ଥନା କରିଥିଲେ। ପରେ ଦଳ ବିଜେତା ହେବା ସ୍ପଷ୍ଟ ହେବା ପରେ ବାମ ହାତ ଆଙ୍ଗୁଠି କାଟି ମା’ଙ୍କୁ ଅର୍ପଣ କରିଥିଲେ।
ସମର୍ଥକଜଣଙ୍କ ହେଲେ ରାଜ୍ୟର ବଳରାମପୁରର ଦୁର୍ଗେଶ ପାଣ୍ଡେ(୩୦)। ଲୋକ ସଭା ନିର୍ବାଚନରେ କଂଗ୍ରେସକୁ ଆଗୁଆ ଦେଖି ସେ ଦୁଃଖି ହୋଇ ଗାଁରେ ଥିବା ମା’ କାଳିଙ୍କ ନିକଟରେ ମାନସିକ କରିଥିଲେ। ପରେ ଏନ୍‌ଡିଏ ୨୭୨ ମ୍ୟାଜିକ୍‌ ନମ୍ବର ଜିତିନେବା ଖୁସିରେ ସେ ଆତ୍ମହରା ହୋଇ ନିଜର ଆଙ୍ଗୁଠି କାଟି ମା’ଙ୍କୁ ଅର୍ପଣ କରିଥିଲେ। ଏହାପରେ ତାଙ୍କ ହାତରୁ ରକ୍ତ ବୋହିବା ବନ୍ଦ ହୋଇ ନ ଥିଲା। ପରିବାରଲୋକେ ବିଳମ୍ବ ନ କରି ତାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାରମ୍ଭିକ ଚିକିତ୍ସା ପରେ ତାଙ୍କୁ ଅମ୍ବିକାପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା।
ଡାକ୍ତରଖାନାରେ ତାଙ୍କର ଅପରେଶନ ହେବା ପରେ ସେ ସୁସ୍ଥ ହୋଇଛନ୍ତି। ଅଧିକ ସମୟ ବିଳମ୍ବ ହୋଇଥିଲେ ଆଙ୍ଗୁଠିକୁ ପୁନର୍ବାର ଲଗାଯିବା ସମ୍ଭବ ହୋଇପାରି ନ ଥାନ୍ତା ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।
Share