ଏକ ମିନିଟ୍‌ରେ ୬୮ ବୋତଲର ଠିପି ଖୋଲି ଗିନିଜ୍‌ ଓ୍ବାର୍ଲ୍‌ଡ ରେକର୍ଡରେ ନାଁ ଲେଖାଇଲେ ବ୍ୟକ୍ତି

ହାଇଦ୍ରାବାଦ,୨୩।୧୧: ପ୍ରାୟ ସମୟରେ ଦେଖାଯାଏ, କୋଲ୍ଡ ଡ୍ରିଙ୍କ୍ସ ଖୋଲିବାକୁ ଓପ୍‌ନର ନ ମିଳିଲେ, ଲୋକେ ନିଜ ଦାନ୍ତରେ ଖୋଲିଥାନ୍ତି। ହେଲେ କେବେ କାହାକୁ ମୁଣ୍ଡରେ ବୋତଲର ଠିପି ଖୋଲିବା ଦେଖିଛନ୍ତି କି? ବୋଧେ ନୁହେଁ। ଭାବୁଥିବେ କେହି ମୁଣ୍ଡରେ ବୋତଲ କିଭଳି ଭାବେ ଖୋଲିପାରିବେ। ଆଜ୍ଞା ହଁ, କଥାଟି ସତ। କିଛି ଏଭଳି କରି ଦେଖାଇଛନ୍ତି ଆନ୍ଧ୍ରପ୍ରଦେଶର ନେଲୋରରେ ରହୁଥିବା ପ୍ରଭାକର ରେଡ୍ଡୀ ନାମକ ଜଣେ ବ୍ୟକ୍ତି।

 

 

ମାତ୍ର ୧ ମିନିଟ୍‌ରେ ପ୍ରଭାକର ୬୮ ସୋଢ଼ା ବୋତଲର ଠିପିକୁ ନିଜ ମୁଣ୍ଡ ସାହାଯ୍ୟରେ ଖୋଲିଛନ୍ତି। ଏଭଳି କରି ସେ ଗିନିଜ୍‌ ଓ୍ବାର୍ଲ୍‌ଡ ରେକର୍ଡରେ ନିଜର ନାଁ ଲେଖାଇଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଗିନିଜ୍‌ ଓ୍ବାର୍ଲ୍‌ଡ ରେକର୍ଡର ଅଫିସିଆଲ ସାଇଟ୍‌ରେ ମଧ୍ୟ ଶେୟାର କରାଯାଇଛି। ଏଥିସହ କ୍ୟାପଶନ୍‌ରେ ଲେଖାଯାଇଛି, ଘରେ ଏଭଳି କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଏହି ରେକର୍ଡ କରିବାରେ ପ୍ରଭାକରଙ୍କୁ ସୁଜିତ କୁମାର ଓ ରାକେଶ ସାହାଯ୍ୟ କରିଛନ୍ତି। ଏହି ଭିଡିଓକୁ ନଭେମ୍ବର ୧୯ରେ ଶେୟାର କରାଯାଇଥିବା ବେଳେ ଏହାକୁ ଏପର୍ଯ୍ୟନ୍ତ ୧୮ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ଏଥିସହ ଏହାକୁ ଶତାଧିକ ଲାଇକ୍ସ ଓ ରିଟୁଇଟ କରାଯାଇଥିବା ଦେଖିବାକୁ ମିଳିଛି।

Share