Categories: ଫୁରସତ

ସିଙ୍ଗଡ଼ା ଖାଇବାକୁ ଚାମଚ ନ ମିଳିବାରୁ ମୁଖ୍ୟମନ୍ତ୍ରୀଙ୍କୁ କଲ୍‌ କଲେ ଯୁବକ

ଯେତେବେଳେ ଆମେ ହୋଟେଲ କିମ୍ବା ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଉ ସେତେବେଳେ କିଛି ଡିସ୍‌ପୋଜେବଲ୍‌ ବାସନ ଦିଆଯାଏ। ଯାହା ଦ୍ୱାରା ଆରାମରେ ଖାଇ ହୋଇଥାଏ। ଅବଶ୍ୟ ସିଙ୍ଗଡ଼ା, କଚୋଡ଼ି ଏବଂ ପକୋଡ଼ା ସହିତ ଏହିପରି ବାସନ ଉପଲବ୍ଧ ନୁହେଁ। କାରଣ ଚାମଚ ବିନା ସିଙ୍ଗଡ଼ା ସହଜରେ ଖାଇ ହୋଇଥାଏ। ଏହା ସାଧାରଣ ଲୋକଟିଏ ବି ବୁଝି ପାରନ୍ତି। କିନ୍ତୁ ମଧ୍ୟପ୍ରଦେଶର ଜଣେ ଯୁବକ ଏହାକୁ ନେଇ ରେଷ୍ଟୁରାଣ୍ଟରେ ହଙ୍ଗାମା କରିଥିଲେ।

ଏପରିକି ଲୋକଙ୍କ ସୁବିଧା ପାଇଁ ରହିଥିବା ସିଏମ୍‌ ହେଲ୍ପଲାଇନ ବା ମୁଖ୍ୟମନ୍ତ୍ରୀଙ୍କ ନମ୍ବରରେ ଯୁବକଙ୍କ କଲ୍‌ କରିଥିଲେ। ସେ କହିଥିଲେ, ଦୋକାନୀ ତାଙ୍କୁ ସିଙ୍ଗଡ଼ା ସହ ଚାମଚ ଦେଇ ନ ଥିଲେ। ଏହା ପରେ ଗ୍ରାହକ ଦୋକାନୀଙ୍କ ବିଷୟରେ ଆଉ କେଉଁଠି ଅଭିଯୋଗ ନ କରି ସିଧାସଳଖ ସିଏମ୍‌ଙ୍କ କାର୍ଯ୍ୟାଳୟରେ କରିଛନ୍ତି। ଏହି ବିଷୟ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଏହି ମାମଲା ମଧ୍ୟପ୍ରଦେଶର ଛତ୍ରପୁର ଜିଲାରେ ଦେଖିବାକୁ ମିଳିଛି। ଏଠାରେ ବଂଶ ବାହାଦୂର ନାମକ ଜଣେ ଯୁବକ ଏକ ଲୋକପ୍ରିୟ ସିଙ୍ଗଡ଼ା ଦୋକାନରୁ ସିଙ୍ଗଡ଼ା ପ୍ୟାକ୍‌ କରିଥିଲେ। ସାଧାରଣତଃ ସିଙ୍ଗଡ଼ା ସହିତ ପାତ୍ର ଏବଂ ଚାମଚ ଦିଆଯାଇ ନ ଥାଏ। ମାତ୍ର ବଂଶ ସିଙ୍ଗଡ଼ାରେ କାହିଁକି ଚାମଚ ପ୍ୟାକ୍‌ କରାଯାଇନି ଦେଖି ଏତେ ରାଗିଗଲେ ଯେ, ସିଧା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫୋନ୍‌ କରିଥିଲେ। ଅଗଷ୍ଟ ୩୦ରେ ଏହି ଘଟଣା ଘଟିଥିଲା।

ବଂଶ ଅଭିଯୋଗରେ କହିଛନ୍ତି, ଛତ୍ରପୁରର ବସ୍‌ଷ୍ଟାଣ୍ଡରେ ରାକେଶ ସିଙ୍ଗଡ଼ା ନାମକ ଏକ ଦୋକାନ ଅଛି। ଯେଉଁଠି ସିଙ୍ଗଡ଼ା ପ୍ୟାକ୍‌ ପାଇଁ ପାତ୍ର-ଚାମଚ ଦିଆଯାଏ ନାହିଁ। ଦୟାକରି ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରନ୍ତୁ। ସେତେବେଳେ ବଂଶଙ୍କର ଏହି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ତେବେ ୫ ଦିନ ପରେ ଏହି ଅଭିଯୋଗ ବନ୍ଦ ହୋଇଯାଇଥିଲା ଯେ, ଏହା ସିଏମ୍‌ ହେଲ୍ପଲାଇନ ପୋର୍ଟାଲ ସହିତ ଜଡ଼ିତ ନୁହେଁ। ବର୍ତ୍ତମାନ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share