Categories: ଜାତୀୟ

ସ୍ତ୍ରୀଙ୍କ ହାତ କାଟିଦେଲେ ସ୍ବାମୀ

କୋଲକାତା,୭।୬: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାର କେତୁଗ୍ରାମରେ ଜଣେ ମହିଳା ସରକାରୀ ନର୍ସିଂ ପଦବୀରେ ନିଯୁକ୍ତି ପାଇଁ ସିଲେକ୍ଟ ହୋଇଥିଲେ। ଈର୍ଷାନ୍ବିତ ସ୍ବାମୀ ତାଙ୍କୁ ଚାକିରିରେ ଯୋଗଦେବାକୁ ବାରଣ କରିଥିଲେ। ରେଣୁ ଖାତୁନ୍‌ ନାମ୍ନୀ ମହିଳା ଯେପରି ଚାକିରିରେ ଯୋଗଦେଇ ନ ପାରିବେ ସେଥିପାଇଁ ସ୍ବାମୀ ଶେର ମହମ୍ମଦ ସୋମବାର ତାଙ୍କ ହାତକୁ ମଣିବନ୍ଧଠାରୁ କାଟି ଅଲଗା କରିଦେଇଛନ୍ତି। ଏପରିକି ସ୍ତ୍ରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିଲେ ହେଁ ଡାକ୍ତର ଯେପରି କଟା ହାତ ଯୋଡ଼ି ନ ପାରିବେ ସେଥିପାଇଁ ତାକୁ ଲୁଚାଇ ରଖିଥିଲେ। ପରେ ସେ ଓ ତାଙ୍କ ପରିବାର ସଦସ୍ୟ ଫେରାର ହୋଇଯାଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ରେଣୁ ନର୍ସିଂ ଶିକ୍ଷା ପରେ ଏକ ଘରୋଇ ହସ୍ପିଟାଲରେ ନର୍ସିଂ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ନିକଟରେ ତାଙ୍କୁ ସରକାରୀ ଚାକିରି ମିଳିବାରୁ ସ୍ବାମୀ ଏଥିରେ କ୍ଷୁବ୍ଧ ହୋଇଥିଲେ। ଶେର୍‌ ମହମ୍ମଦ ନିଜେ ବେରୋଜଗାର ହୋଇଥିବାରୁ ସ୍ତ୍ରୀ ସରକାରୀ ଚାକିରି ପାଇଲେ କାଳେ ତାଙ୍କୁ ଛାଡ଼ି ଚାଲିଯିବ ବୋଲି ସେ ଆଶଙ୍କା କରୁଥିଲେ। ତେଣୁ ସରକାରୀ ଚାକିରିରେ ଯୋଗ ନ ଦେବାକୁ ସେ ରେଣୁଙ୍କୁ ବାରମ୍ବାର ତାଗିଦ୍‌ କରୁଥିଲେ।

Share