ଆତ୍ମହତ୍ୟା କରିବାକୁ ଚଢିଥିଲେ ବ୍ରିଜରେ, ବିରିୟାନୀ ଲୋଭରେ ଓହରିଲେ, ଭାଇରାଲ ହେଉଛି ଭିଡିଓ

କୋଲକତା,୨୪।୧: ସବୁ ଦିଗରୁ ନିରାଶ ହୋଇ ବସିଲେ ମଣିଷ ଆତ୍ମହତ୍ୟାର ଦିଗ ଆପଣାଇଥାଏ। ଗୋଟିଏ ପରେ ଗୋଟିଏ ଅସଫଳତାରେ ବିରକ୍ତି ହୋଇ ଆତ୍ମହତ୍ୟା କରିଦେବା ହିଁ ସର୍ବଶେଷ ମାର୍ଗ ଭାବେ ଦେଖିଥାଏ। ଆତ୍ମହତ୍ୟାସ୍ଥଳରେ ଲୋକଗହଳିରେ କାଳେ କରିହେବନି ବୋଲି ବ୍ୟକ୍ତି ନିର୍ଜନ ସମୟରେ ଏପରି ପଦକ୍ଷେପ ନେଇଥାନ୍ତି। ଯଦିଓ ସାର୍ବଜନୀନ ସ୍ଥାନରେ କରିଥାନ୍ତି କିଛିଜଣ ଲୋକଙ୍କ ପରାମର୍ଶରେ ଓହରିଯାଆନ୍ତି ଆଉ କେହି ଲୋକଲଜ୍ଜ୍ୟା ଭୟରେ ଜୀବନ ହାରନ୍ତି। ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆଶ୍ଚର୍ଯ୍ୟ କଲା ଭଳି।

ଘଟଣାଟି ଏହିପରି, କୋଲକତାର ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ବ୍ରିଜ ଉପରକୁ ଚଢିଥିଲେ। ଦିନ ସମୟ ଥିବାରୁ ଘଟଣାସ୍ଥଳରେ ଭିଡ ଜମି ଯାଇଥିଲା। ତଳେ ରହି ଲୋକମାନେ ଯେତେ ପରାମର୍ଶ ଦେଲେ ମଧ୍ୟ ସେ ତଳକୁ ଓହ୍ଲାଇ ନ ଥିଲେ। ଏଭଳି ପରିସ୍ଥିତିରେ ପୋଲିସ ପହଞ୍ଚି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା। କିଛି ସମାଧାନ ନ ହେବାରୁ ପୋଲିସ ବ୍ୟକ୍ତିଙ୍କୁ ଏପରି ଏକ ଜିନିଷର ପ୍ରଲୋଭନ କରିଥିଲା ଯାହାପରେ ବ୍ୟକ୍ତିଜଣକ ଆତ୍ମହତ୍ୟା କରିବାରୁ ଓହରି ଯାଇଥିଲେ।
କୋଲକାତା ପୋଲିସ ବ୍ୟକ୍ତିଙ୍କୁ ଚାକିରୀ ଦେବାକୁ ପ୍ରତିଶ୍ରୁତି ଦେବା ସହ ବ୍ରିଜରୁ ଓହ୍ଲାଇବା ପାଇଁ ବିରିୟାନୀ ପ୍ରଲୋଭନ ଦେଖାଇଥିଲେ। ଯାହାକୁ ଶୁଣି ବ୍ୟକ୍ତିଜଣକ ସାଙ୍ଗେ ସାଙ୍ଗେ ରାଜି ହୋଇ ତଳକୁ ଓହ୍ଲାଇ ଯାଇଥିଲେ।

ଏନେଇ କୋଲକତା ପୋଲିସର ଜଣେ ଅଧିକାରୀ କହିଛନ୍ତି, ବ୍ୟକ୍ତିଜଣକ ବ୍ରିଜ ଉପରକୁ ଚଢିଯିବାରୁ ସହରର ବ୍ୟସ୍ତବହୁଳ ରାସ୍ତାରେ ପ୍ରାୟ ଅଧ ଘଣ୍ଟା ଧରି ଟ୍ରାଫିକ ଜାମ ହୋଇଥିଲା। ୪୦ ବର୍ଷ ବୟସ୍କା ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କଠାରୁ ଅଲଗା ହେବା ଏବଂ ବ୍ୟବସାୟରେ କ୍ଷତି ହେତୁ ଚାପଗ୍ରସ୍ତ ଥିଲେ। ଏଥିଯୋଗୁ ଅଧିକ ଭାବପ୍ରବଣ ହୋଇ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ। ହେଲେ ପୋଲିସ ବୁଝାସୁଝା କରିବାରୁ ଓହରିଥିଲେ। ଘଟଣାଟିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବ୍ୟକ୍ତିଜଣକ ବିରିୟାନୀ ଲାଞ୍ଚରେ ରାଜି ହୋଇଥିବାର ଦେଖି ୟୁଜର୍ସ ତାଜୁବ ହୋଇଯାଉଛନ୍ତି।

 

Share