Categories: ଜାତୀୟ

ଜେଲ ଦଣ୍ଡରୁ ବର୍ତ୍ତିବା ପାଇଁ ନିଜ ମୃତ୍ୟୁର ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୧୨ା୧୨: ନିଜ ୧୩ ବର୍ଷୀୟା ଝିଅର ହତ୍ୟା ମାମଲାର ଅଭିଯୁକ୍ତ ପାରୋଲରେ ଜେଲରୁ ବାହାରିବା ପରେ ଆଉ ଏକ ହତ୍ୟା କାଣ୍ଡ ଘଟାଇଛନ୍ତି। ମୃତଦେହକୁ ନିଜ ପରିଚୟ ଦେଇ ଜେଲଦଣ୍ଡରୁ ବର୍ତ୍ତିବାକୁ ଉଦ୍ୟମ କରିଥିବା ଗାଜିଆବାଦ ପୋଲିସ ପକ୍ଷରୁ କୁହାଯାଇଛି। ଏହି ଷଡ଼ଯନ୍ତ୍ରରେ ସୁଦେଶଙ୍କୁ ସାହାଯ୍ୟ କରିଥିଲେ ତାଙ୍କ ପତ୍ନୀ। ଏହି ଦମ୍ପତିକୁ ଗିରଫ କରାଯାଇଥିବା ପୋଲିସ ଅଧିକାରୀ କହିଛନ୍ତି।

ଗାଜିଆବାଦର ଲୋନି ଅଞ୍ଚଳରେ ନଭେମ୍ବର ୨୦ ତାରିଖରେ ପୋଲିସକୁ ଏକ ମୃତଦେହ ମିଳିଥିଲା, ଯାହାର ମୁହଁ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ମୃତଦେହର ପୋଷାକରୁ ମିଳିଥିଲା ସୁଦେଶଙ୍କ ଆଧାର କାର୍ଡ। ତା’ ପରେ ପୋଲିସ ପହଞ୍ଚିଥିଲା ସୁଦେଶଙ୍କ ପତ୍ନୀ ପାଖରେ। ସେ ମୃତଦେହ ସୁଦେଶଙ୍କର ବୋଲି କହିଥିଲେ। ପରେ ସୁଦେଶ ବଞ୍ଚିଥିବା ଓ ପତ୍ନୀଙ୍କୁ ଦେଖା କରିବା ପାଇଁ ରାତିରେ ଘରକୁ ଆସୁଥିବା ଖବର ପାଇ ପୋଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା।

ନିଜ ୧୩ ବର୍ଷର ଝିଅକୁ ହତ୍ୟା କରିବା ମାମଲାରେ ୨୦୧୮ରୁ ସୁଦେଶ ଜେଲରେ ଥିଲେ। କୋଭିଡ୍‌ ମହାମାରୀ ବେଳେ ତାଙ୍କୁ ପାରୋଲରେ ଛଡ଼ା ଯାଇଥିଲା। ତାଙ୍କ ପାରୋଲର ସମୟ ଶେଷ ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଭୟରେ ଥିଲେ। ଏଣୁ ଜେଲ ଦଣ୍ଡରୁ ବର୍ତ୍ତିବା ପାଇଁ ସେ ନିଜ ହତ୍ୟାର ଷଡ଼ଯନ୍ତ୍ର ରଚିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଘରର କିଛି କାମ ପାଇଁ ଜଣେ ଶ୍ରମିକଙ୍କୁ ଡକାଇ ଥିଲେ। ଘରେ ଶ୍ରମିକଙ୍କୁ ପ୍ରବଳ ମଦ ପିଆଇବା ପରେ ତାଙ୍କ ମୁଣ୍ଡକୁ ପିଟି ପିଟି ହତ୍ୟା କରିଥିଲେ। ପରେ ଶ୍ରମିକଙ୍କ ମୁହଁକୁ ଜାଳିବା ସହ ମୃତଦେହକୁ ବାହାରେ ଫୋପାଡ଼ି ଦେଇଥିଲେ ବୋଲି ପଚରାଉଚରା ବେଳେ କହିଥିଲେ ସୁଦେଶ।

ଅଧିକ ତଦନ୍ତରୁ ଶ୍ରମିକଙ୍କ ପରିବାର ପକ୍ଷରୁ ଏକ ନିଖୋଜ ଅଭିଯୋଗ କରାଯାଇଥିବା ଜଣାପଡ଼ିଥିଲା। ତାଙ୍କ ପରିବାରବର୍ଗ ମୃତଦେହକୁ ଚିହ୍ନଟ କରିଥିଲେ ବୋଲି ଗାଜିଆବାଦ୍‌ ଗ୍ରାମୀଣ ଏସ୍‌ପି ଇରାଜ ରାଜା କହିଛନ୍ତି।

Share