Categories: ଜାତୀୟ

ଏଟିଏମ୍‌ ଲୁଟିବାକୁ ଆସି ଏମିତି ଫସିଲେ ଲୁଟେରା

ଚେନ୍ନାଇ,୮।୮: ଏଟିଏମ୍‌ ତାଡ଼ି ଟଙ୍କା ଲୁଟ୍‌ କରିବାକୁ ଯାଇଥିବା ତାମିଲନାଡୁର ଜଣେ ବ୍ୟକ୍ତି ସାଙ୍ଗାତିକ ଭାବେ ବିଫଳ ହୋଇଛନ୍ତି। ଏଟିଏମ୍‌ ତାଡ଼ିବାକୁ ଉଦ୍ୟମ କଲା ବେଳେ ଦୁର୍ଭାଗ୍ୟବଶତଃ ସେ ଫସି ଯାଇଥିଲେ ଏଟିଏମ୍‌ ଓ କାନ୍ଥ ମଝିରେ। ଏଭଳି ପରିସ୍ଥିତିରୁ ନିଜକୁ ବାହାର କରିବାକୁ ବହୁ ଉଦ୍ୟମ କରି ସେ ବିଫଳ ହୋଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ। ତାଙ୍କୁ ଉଦ୍ଧାର କରିବା ପରେ ଗିରଫ କରାଯାଇଛି। ଉକ୍ତ ବ୍ୟକ୍ତିଙ୍କ ନାମ ହେଲା ଏମ୍‌ ଉପେନ୍ଦ୍ର ରୟ। ବିହାରର ପୂର୍ବ ଚାମ୍ପରନ ଜିଲାର ବାସୀନ୍ଦା। ତାମିଲନାଡୁର ନାମାକାଲ ଜିଲାର ପାରାଲି ଅଞ୍ଚଳରେ ଥିବା କୁକୁଡ଼ା ଖାଦ୍ୟ ପ୍ରସ୍ତୁତିକାରୀ କମ୍ପାନୀରେ ସେ କାର୍ଯ୍ୟ କରୁଥିଲେ।

ମଦ ନିଶାରେ ଥିବା ଉପେନ୍ଦ୍ର ଏଟିଏମ୍‌ ପଛପଟ କାନ୍ଥରେ ଲାଗିଥିବା ପ୍ଲେଉଡ୍‌କୁ ପ୍ରଥମେ ହଟାଇଥିଲେ। ଏଟିଏମ୍‌ର ପଛକୁ ଭାଙ୍ଗି ଟଙ୍କା ଲୁଟିବାକୁ ଉଦ୍ୟମ କରୁଥିବା ବେଳେ ଫସି ଯାଇଥିଲେ କାନ୍ଥରେ। ଏଟିଏମ୍‌ ଭାଙ୍ଗିବାର ଶବ୍ଦ ଶୁଣି ପାଖରେ ଜଣେ ବ୍ୟକ୍ତି ମୋହାନୁର ଥାନାକୁ ଖବର ଦେଇଥିଲେ।

Share