Categories: ଜାତୀୟ

ମୋଦି, ଯୋଗୀଙ୍କୁ ପ୍ରଶଂସା କରିବାରୁ ସ୍ତ୍ରୀଙ୍କୁ ତିନି ତଲାକ୍‌ ଦେଲେ ସ୍ବାମୀ

ବହରାଇଚ,୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିବା ଉତ୍ତରପ୍ରଦେଶ ବହରାଇଚ ଜିଲା ମହୋଲ୍ଲା ସରାୟରେ ରହୁଥିବା ମରିୟମ ନାମ୍ନୀ ଜଣେ ମୁସଲମାନ ମହିଳାଙ୍କୁ ଭାରି ପଡ଼ିଛି।

ମରିୟମଙ୍କ ଉପରେ ତାଙ୍କ ସ୍ବାମୀ ଅର୍ସଦ ଗରମ ଡାଲି ପକାଇବା ସହ ତାଙ୍କୁ ଟ୍ରିପଲ ତଲାକ୍‌ ଦେଇଛନ୍ତି। ଶନିବାର ବହରାଇଚ ଜିଲା ଜରଓ୍ବାଲ ରୋଡ୍‌ ଥାନାରେ ଅଭିଯୋଗ କରି ପୀଡ଼ିତା କହିଛନ୍ତି, ଟ୍ରିପଲ ତଲାକ୍‌ ଦେବା ପୂର୍ବରୁ ତାଙ୍କ ସ୍ବାମୀ ଓ ଶ୍ୱଶୁର ଘର ଲୋକେ ତାଙ୍କୁ ମାଡ଼ ମାରିବା ସହ ବହୁ ଅତ୍ୟାଚାର କରିଥିଲେ। ଏପରିକି ଶାଶୁ, ନଣନ୍ଦ ଓ ଦିଅର ମିଶି ତାଙ୍କୁ ଗଳା ଚିପି ହତ୍ୟା କରିବାକୁ ପ୍ରୟାସ କରିଥିଲେ।

ଅଯୋଧ୍ୟାର କୋଟ୍‌ଓ୍ବଲି ନଗରରେ ରହୁଥିବା ଅର୍ସଦଙ୍କ ସହ ଗତବର୍ଷ ଡିସେମ୍ବର ୧୩ରେ ମରିୟମଙ୍କ ବିବାହ ହୋଇଥିଲା। ତେବେ ବିବାହ ପରେ ମରିୟମ ଅଯୋଧ୍ୟା ଧାମ ଭ୍ରମଣ କରୁଥିଲେ, ସେତେବେଳେ ଅଯୋଧ୍ୟାର ରାସ୍ତା, ସୌନ୍ଦର୍ଯ୍ୟକରଣ, ବିକାଶ ଏବଂ ପରିବେଶ ତାଙ୍କୁ ପ୍ରଭାବିତ କରିଥିଲା। ସେଥିପାଇଁ ସେ ସ୍ବାମୀ ଅର୍ସଦଙ୍କ ସମ୍ମୁଖରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସା କରିଥିଲେ।

ଏଥିରେ ଅର୍ସଦ କ୍ଷୁବ୍ଧ ହୋଇ ମୋଦି, ଯୋଗୀଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିବା ସହ ମରିୟମଙ୍କୁ ତଲାକ୍‌, ତଲାକ୍‌, ତଲାକ୍‌ କହି ତାଙ୍କୁ ତିନି ତଲାକ୍‌ ଦେଇଥିଲେ ବୋଲି ଜରଓ୍ବାଲ ରୋଡ୍‌ ଥାନାର ଇନ୍‌ସ୍ପେକ୍ଟର ବ୍ରିଜଲାଲ ପ୍ରସାଦ କହିଛନ୍ତି।

କେବଳ ସ୍ବାମୀ ଅର୍ସଦ ନୁହନ୍ତି, ତାଙ୍କ ଶାଶୁ, ଶ୍ୱଶୁର, ନଣନ୍ଦ ଓ ଦିଅରଙ୍କ ବିରୋଧରେ ମଧ୍ୟ ମରିୟମ ଅଭିଯୋଗ କରିଥିବା ସେ କହିଛନ୍ତି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଜରଓ୍ବାଲ ରୋଡ୍‌ ପୋଲିସ ଶନିବାର ଅର୍ସଦଙ୍କୁ ମିଶାଇ ତାଙ୍କ ପରିବାରର ୮ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି।

Share