ଯାନବାହନ ଯାତାୟାତ କରିବା ଲାଗି ଅନେକ ଟ୍ରାଫିକ୍ ନିୟମ ରହିଛି। ପ୍ରତ୍ୟେକ ଦେଶର ଟ୍ରାଫିକ୍ ନିୟମ ଭିନ୍ନ। ଯଦି କୌଣସି ବ୍ୟକ୍ତି ଏହି ନିୟମ ଭାଙ୍ଗନ୍ତି ତେବେ ତାଙ୍କର ଚାଲାଣ କଟାଯାଇଥାଏ। ଏଣୁ ତାଙ୍କୁ ଜରିମାନା ଦେବାକୁ ପଡ଼ିଥାଏ। ଥରେ, ଦୁଇଥର କିମ୍ବା ତିନିଥର ଚାଲାଣ କଟିବା ଠିକ୍ ଅଛି, ହେଲେ ଲଣ୍ଡନରେ ରହୁଥିବା ଜଣେ ବ୍ୟକ୍ତିଙ୍କର ଦିନକରେ ୫୧ ଥର ଚାଲାଣ କଟିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏଥିଯୋଗୁ ଉକ୍ତ ବ୍ୟକ୍ତିଙ୍କୁ ୬ ଲକ୍ଷରୁ ଅଧିକ ଜରିମାନା ଦେବାକୁ ପଡ଼ିଛି। କଥାଟି ଆଶ୍ଚର୍ଯ୍ୟ କରୁଥିଲେ ହେଁ ଏହା ସତ୍ୟ।
ଲଣ୍ଡନରେ ରହୁଥିବା ଜନ୍ ବାରେଟ୍ଙ୍କ ସହ ସେଭଳି କିଛି ଘଟିଛି। ସେ ତାଙ୍କ କାର୍କୁ ରେସିଡେଣ୍ଟ ରେଡ୍ରେ ଚଲାଉଥିଲେ,ଯେଉଁଥିଲାଗି ତାଙ୍କର ଚାଲାଣ କଟିଥିବା ଜଣାପଡ଼ିଛି। କାରଣ ଉକ୍ତ ରାସ୍ତାରେ କାର୍ ଚଲାଇବାକୁ ଅନୁମତି ନ ଥିଲା। ତେବେ ଗୋଟିଏ ଚାଲାଣ ପରିବର୍ତ୍ତେ ୫୧ ଚାଲାଣ ଦେଖି ଜନଙ୍କ ସ୍ତ୍ରୀ ଚକିତ ହୋଇଯାଇଥିଲେ। କାରଣ ପ୍ରତି ଚାଲାଣର ମୂଲ୍ୟ ୧୩ହଜାରରୁ ଅଧିକ ଥିଲା। ଏଥିସହ ଜରିମାନା ପୈଠ କରିବାକୁ ତାଙ୍କୁ ୨୮ ଦିନ ସମୟ ଦିଆଯାଇଥିଲା।
ଏବେ ଖୋଳତାଡ଼ କରିବା ପରେ ଭିନ୍ନ କଥା ଜଣାପଡ଼ିଛି। ଚାଲାଣଗୁଡ଼ିକ ପାଞ୍ଚମାସ ଭିତରେ କଟାଯାଇଥିବା ବେଳେ ଏକାସହ ଜନଙ୍କ ପାଖରେ ପହଞ୍ଚିଥିଲା। ଏପରିକି ସେ ଚଳାଉଥିବା କାର୍କୁ ଲିଜ୍ରେ ନେଇଥିଲେ। ଗାଡ଼ି ଚଳାଇବା ପୂର୍ବରୁ କାର୍ର ଠିକଣା ସଠିକ୍ ଭାବେ ଦିଆଯାଇ ନ ଥିବାଯୋଗୁ ସମସ୍ତ ଚାଲାଣ ଭୁଲ ଠିକଣାକୁ ଯାଇଥିଲା ବୋଲି କୁହାଯାଉଛି। ଫଳରେ ଜରିମାନାକୁ ରଦ୍ଦ କରାଯାଉ ବୋଲି ସେ ଦାବି କରିଛନ୍ତି।