Advertisement

ବଳଦ ଖୋଜିବାକୁ ଯାଇ ହାତୀ ହାବୁଡ଼ରେ ପଡ଼ିଲେ ବୃଦ୍ଧ, ମୃତ୍ୟୁ ପୂର୍ବରୁ କହିଲେ ଶୁଣ୍ଢରେ ଟେକି କଚାଡ଼ିଲା

କେନ୍ଦୁଝର,୧୮ା୫(ସ୍ବ.ପ୍ର.): ତେଲକୋଇ ରେଞ୍ଜ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ନିଧିଆ ନାୟକ (୬୫)। ତାଙ୍କ ଘର କୁଲାଡେରା ଗ୍ରାମରେ ବୋଲି ଜଣାପଡ଼ିଛି।ତାଙ୍କର ଏକ ବଳଦ ହଜିଯିବାରୁ ମଙ୍ଗଳବାର ଖୋଜିବାକୁ ଜଙ୍ଗଲକୁ ଯାଇଥିଲେ। ରାତି ହୋଇଯିବାରୁ ବନବିହାରୀପୁର ଗ୍ରାମରେ ଜଣେ ସମ୍ପର୍କୀୟଙ୍କ ଘରେ ରହିଯାଇଥିଲେ। ବୁଧବାର ସକାଳେ ଘରକୁ ଫେରୁଥିବା ବେଳେ ବନବିବିହାରୀପୁର କାଜୁ ଜଙ୍ଗଲରେ ଥିବା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଉକ୍ତ ଜଙ୍ଗଲରେ ଏକ ମାଈ ଓ ଅଣ୍ଡିରା ହାତୀ କିଛି ଦିନ ହେଲା ରହୁଛନ୍ତି।
ପରେ ଗ୍ରାମବାସୀ ଗୁରୁତର ଅବସ୍ଥାରେ ନିଧିଙ୍କୁ ପଡ଼ିଥିବା ଦେଖି ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରୁ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା ବୋଲି ସେ ମୃତ୍ୟୁ ପୂର୍ବରୁ କହିଥିଲେ।

କିଛିଦିନ ତଳେ ଉକ୍ତ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ବି ମୃତ୍ୟୁ ଘଟିଥିଲା।  ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏନେଇ ଡେପୁଟି ରଞ୍ଜନ କୁମାର ପାଣି କହିଛନ୍ତି, ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କା ଆପାତକାଳୀନ ସହାୟତା ରାଶି ପ୍ରଦାନ କରାଯାଇଛି। ହାତୀଙ୍କ ଉପରେ ନଜର ରଖାଯାଇଛି। ଉକ୍ତ ଅଞ୍ଚଳରେ ୩ଟି ହାତୀ ବୁଲି ବ୍ୟାପକ କ୍ଷତି ଘଟାଇ ଚାଲିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share