Categories: ଜାତୀୟ

୫୫ ଜଣଙ୍କଠାରୁ ୧୩ କୋଟି ଠକି ନେଇଥିଲେ

ନୂଆଦିଲ୍ଲୀ,୨୦।୩: ଫ୍ଲାଟ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇ ୫୫ ଜଣଙ୍କଠାରୁ ୧୩ କୋଟି ଠକିନେଇଥିବା ଜଣେ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ରବିବାର ଗିରଫ କରିଛି। ସେ ହେଲେ ହରିୟାଣାର ହିସାର ଅଞ୍ଚଳର ଦିନେଶ ଶର୍ମା।

ସୂଚନା ଯୋଗ୍ୟ, ଦିନେଶ ହରିୟାଣାରେ ଏସିଆନ୍‌ ଡେଭେଲପର୍ସ ପ୍ରା. ଲିଃ ନାମରେ ଏକ କମ୍ପାନୀ କରି ଫ୍ଲାଟ/ ଦୋକାନ ବୁକିଂ ପାଇଁ ବିଜ୍ଞାପନ ଦେଇଥିଲେ। ଏପରି କି ବିଭିନ୍ନ ପ୍ରଲୋଭନ ଦେଖାଇ ଟଙ୍କା ନିବେଶ କରିବାକୁ ଲୋକଙ୍କୁ କହିଥିଲେ। ଫଳରେ ନିବେଶକାରୀ ଦିନେଶଙ୍କ ସହ ଯୋଗଯୋଗ କରି ଫ୍ଲାଟ୍‌ ବୁକ୍‌ କରିବା କରିବା ସହ ନିୟମିତ ଟଙ୍କା ଜମା କରିଆସୁଥିଲେ।

ହେଲେ ୨୦୧୪ ଏପ୍ରିଲରେ ପ୍ରକଳ୍ପ କାର୍ଯ୍ୟ ବନ୍ଦ ହୋଇଯିବାରୁ ନିବେଶକଙ୍କୁ କୌଣସି ୟୁନିଟ୍‌ର ଦଖଲ ଦିଆଯାଇ ନ ଥିଲା। ଫଳରେ ନିବେଶକାରୀ ଦିନେଶଙ୍କୁ ବାରମ୍ବାର ଫୋନ କରି ପ୍ରକଳ୍ପ କାର୍ଯ୍ୟର ପୋଜିସନ ଦେବାକୁ କହିଥିଲେ। ଦୀର୍ଘ ୨୭ ମାସ ପରେ ମଧ୍ୟ ପୋଜେଶନ ମିଳି ନ ଥିଲା। ଫଳରେ କିଛି ନିବେଶକ ଠକାମିର ଶିକାର ହୋଇଥିବା ନେଇ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଏନେଇ ଇଓଡବ୍ଲୁୂ୍ୟରେ ୨ଟି ମାମଲା ରୁଜୁ ହୋଇଥିଲା। ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଜମାକାରୀଙ୍କ ଟଙ୍କା ବିଭିନ୍ନ ଆକାଉଣ୍ଟକୁ ସ୍ଥାନାନ୍ତର ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା। ଅଭିଯୁକ୍ତ ଶର୍ମାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଥିଲା। ହେଲେ ସେ ହାଜର ନ ହେବାରୁ ସ୍ଥାନୀୟ ଅଦାଲତ ତାଙ୍କୁ ପଳାତକ ଘୋଷଣା କରିଥିଲେ। ଆବୁଧାବି ପଳାଇଯିବାକୁ ଉଦ୍ୟମ କରୁଥିବା ଶର୍ମାଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ଗିରଫ କରାଯାଇଥିଲା।

Share