McDonalds ରେ ଶହ ଶହ ମୂଷା ଛାଡ଼ିଦେଲେ ଜଣେ ଯୁବକ, ଏଣେତେଣେ ଦୌଡ଼ିବାକୁ ଲାଗିଲେ ଗ୍ରାହକ; ଦେଖନ୍ତୁ ଭିଡିଓ…

ଲଣ୍ଡନ,୩୧।୧୦: ଇସ୍ରାଏଲ-ହମାସ ମଧ୍ୟରେ ଜାରି ରହିଥିବା ବିନାଶକାରୀ ଯୁଦ୍ଧ ମଧ୍ୟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଲୋକେ ଚକିତ ହୋଇଛନ୍ତି। ଜଣେ ପାଲେଷ୍ଟାଇନ ସମର୍ଥକ ଇସ୍ରାଏଲକୁ ବିରୋଧ କରିବାକୁ ଯାଇ ମ୍ୟାକ୍‌ଡୋନାଲ୍ଡର ଏକ ରେଷ୍ଟୁରାଣ୍ଟରେ ଶହ ଶହ ମୂଷା ଛାଡ଼ି ଦେଇଥିଲେ। ଏହାଦେଖି ସେଠାରେ ଥିବା ଅନ୍ୟ ଗ୍ରାହକମାନେ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ଲୋକେ ବିରୋଧ କରିବାର ଏଭଳି ଢ଼ଙ୍ଗ ଦେଖି ଆଶ୍ଚର୍ଯ୍ୟ ହୋଇଥିବା ପ୍ରତିକ୍ରିୟା ରଖୁଛନ୍ତି।

ଭିଡିଓଟି ବର୍ମଂହାମର ଏକ ମ୍ୟାକ୍‌ଡୋନାଲ୍ଡ ଆଉଟଲେଟ୍‌ର। ଭିଡିଓରେ ଯୁବକଜଣଙ୍କ ପାଲେଷ୍ଟାଇନ୍‌ ପତାକା ଲଗାଇଥିବା ଦେଖାଯାଇଛି। ଏହାପରେ ସେ କାରର ଡିକିରୁ ବିଭିନ୍ନ ପ୍ଲାଷ୍ଟିକ୍‌ ବାକ୍ସରେ ରଖାଯାଇଥିବା ବିଭିନ୍ନ ରଙ୍ଗର ଶହ ଶହ ମୂଷାଙ୍କୁ ବାହାର କରି ଷ୍ଟୋରରେ ଛାଡ଼ି ଦିଅନ୍ତି। ଯୁବକଙ୍କ ଏଭଳି କାର୍ଯ୍ୟ ଯୋଗୁ ସେଠାରେ ଉପସ୍ଥିତ ଗ୍ରାହକମାନେ ଭୟଭୀତ ହୋଇଯାଆନ୍ତି। ଏହାପରେ ସେମାନେ ଏଣେତେଣେ ଦୌଡ଼ିବା ଆରମ୍ଭ କରିଦିଅନ୍ତି। ଶେଷରେ ଯୁବକଜଣଙ୍କ ‘ଇସ୍ରାଏଲକୁ ବହିଷ୍କାର କହି’ ଗାଡ଼ିରେ ବସି ଚାଲିଯାଉଥିବା ଦେଖାଯାଉଛି।

ଆପଣ ଭାବୁଥିବେ ବିରୋଧ କରିବା ଲାଗି ଯୁବକଜଣଙ୍କ କ’ଣ ପାଇଁ ମ୍ୟାକ୍‌ଡୋନାଲ୍ଡକୁ ବାଛିଥିଲେ? ଏହାପଛର କାରଣଟି ହେଉଛି ମ୍ୟାକ୍‌ଡୋନାଲ୍ଡର ବୟାନ। ବିଗତ ଦିନରେ କମ୍ପାନୀ ଇସ୍ରାଲଲ ଯବାନମାନଙ୍କୁ ଯୁଦ୍ଧମଧ୍ୟରେ ମାଗଣା ଖାଦ୍ୟ ଦେବାକୁ ଘୋଷଣା କରିଥିଲା। ଏହାକୁ ଏବେ ଯୁବକଜଣଙ୍କ ବିରୋଧ ଶୈଳୀ ସହ ଯୋଡ଼ାଯାଇ ଦେଖାଯାଉଛି।

ଘଟଣା ନେଇ ମ୍ୟାକ୍‌ଡୋନାଲ୍ଡ କହିଛି, ବର୍ମିଂହାମର ଷ୍ଟାର ସିଟି ରେଷ୍ଟୁରାଣ୍ଟ ମଧ୍ୟରେ ମୂଷାକୁ ଛଡ଼ାଯାଇଥିଲା। ଏବେ ଏହାକୁ ସମ୍ପୂର୍ଣ୍ଣ ସଫା କରାଯାଇଛି।

 

Share