Categories: ଜାତୀୟ

ଆତ୍ମହତ୍ୟା କରିବାକୁ ଯାଉଥିଲେ ସ୍ତ୍ରୀ, ରୋକିବା ବଦଳରେ ଭିଡିଓ କଲେ ସ୍ବାମୀ

ନେଲୋର,୨୩ା୯: ଆନ୍ଧ୍ରପ୍ରଦେଶର ନେଲୋର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଆତ୍ମହତ୍ୟା କରୁଥିବା ବେଳର ଦୃଶ୍ୟକୁ ତାଙ୍କ ସ୍ବାମୀ ଭିଡିଓ ଶୁଟିଂ କରିଛନ୍ତି। ଏହି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଉକ୍ତ ଭିଡିଓକୁ ଅଭିଯୁକ୍ତ ସ୍ବାମୀ ତାଙ୍କ ଶ୍ୱଶୁର ଘରକୁ ପଠାଇବା ପରେ ପୋଲିସ ତାଙ୍କୁ ଗିରଫ କରିଛି।

ଘଟଣାରୁ ପ୍ରକାଶ, ମୃତା କୋନ୍ଦାମ୍ମା (୨୯) ପେଞ୍ଚାଲାଇଆଙ୍କୁ ୧୨ ବର୍ଷ ପୂର୍ବେ ବିବାହ କରିଥିଲେ। ଉଭୟଙ୍କର ୨ଟି ସନ୍ତାନ ରହିଛନ୍ତି। କୋନ୍ଦାମ୍ମା ଆଉ କାହା ସହ ସମ୍ପର୍କ ରଖିଥିବା ସନ୍ଦେହ କରି ପେଞ୍ଚାଲାଇଆ ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ମଙ୍ଗଳବାର ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଅତିଷ୍ଠ ହୋଇ କୋନ୍ଦାମ୍ମା ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଘରେ ସ୍ବାମୀ ଓ ପିଲାଙ୍କ ସାମ୍‌ନାରେ ସିଲିଂ ଫ୍ୟାନ୍‌ରେ ସେ ତାଙ୍କ ଶାଢ଼ିରେ ଝୁଲି ପଡ଼ିଥିଲେ। ସେହି ସମୟରେ ପେଞ୍ଚାଲାଇଆ ସ୍ତ୍ରୀଙ୍କୁ ରୋକିବା ପରିବର୍ତ୍ତେ ଆତ୍ମହତ୍ୟାର ଭିଡିଓ ରେକର୍ଡିଂ କରିଥିଲେ। ଉକ୍ତ ଭିଡିଓକୁ ସେ ଶ୍ୱଶୁର ଘରକୁ ପଠାଇ ମୃତଦେହ ସେଠାରୁ ନେଇଯିବାକୁ କହିଥିଲେ। ଏ ନେଇ କୋନ୍ଦାମ୍ମାଙ୍କ ବାପଘର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପେଞ୍ଚାଲାଇଆଙ୍କୁ ଗିରଫ କରିଛି।

Share