ମଣିଷ ସମୟର ଦାସ

ରାଧାଶ୍ୟାମ ରାଉଳ

 

ସମୟର ପ୍ରବହମାନ ସ୍ରୋତରେ ଜୀବନରେ ଓ ଜଗତରେ ନାନା ଘଟଣା ଘଟୁଛି, ଅନେକ କିଛି ପରିବର୍ତ୍ତନ ହେଉଛି। ଇତିହାସ ହେଉ କି ପୁରାଣ ଶାସ୍ତ୍ରର ଚର୍ଚ୍ଚା ହେଉ; ସେଥିରୁ ଅନେକ ପ୍ରମାଣ ମିଳିବ ଯେ, କେତେକେତେ ପ୍ରତାପୀ, ପରାକ୍ରମୀ, କ୍ଷମତାଶାଳୀ, ଦୁର୍ଦ୍ଧର୍ଷ ଦିଗ୍‌ବିଜୟୀ ଶାସକ ଓ ସମ୍ରାଟ୍‌ କେଉଁଠି ନା କେଉଁଠି ପରାଜୟ ବରଣ କରି ଶେଷକୁ କାଳର କରାଳଗର୍ଭରେ ଲୀନ ହୋଇଯାଇଛନ୍ତି। କେତେକେତେ ସାମ୍ରାଜ୍ୟର ପତନ ଘଟିଛି। ରାଜତନ୍ତ୍ର, ସୈରତନ୍ତ୍ରର ବିଲୋପ ଘଟି ପ୍ରଜାତନ୍ତ୍ର ବା ଗଣତନ୍ତ୍ରର ଅଭ୍ୟୁଦୟ ଘଟିଛି।
ସମୟ ସ୍ବୟଂସମ୍ପୂର୍ଣ୍ଣ, ଅଣଲେଉଟା! ଅବିରାମ ଗତି ସମୟର। କାହାର ସୁବିଧା, ଅସୁବିଧାରେ କିମ୍ବା ଅନୁରୋଧରେ ସମୟ ଦଣ୍ଡେପଳେ ଅଟକିଯାଏ ନାହିଁ ତା’ ପାଖରେ। ସମୟ କାହାର ନିଜର ହୋଇ ରହିନଥିଲା, ରହିନାହିଁ କି ରହିବନାହିଁ। ସମୟ ସହ ଘଟି ଯାଇଥିବା ଘଟଣା ଆମ ପାଇଁ ଅତୀତ, ସେସବୁ ସ୍ମୃତିର କଥା। ଏବେ ବା ତତ୍କାଳ ଯାହା ହେଉଛି ବା ଘଟୁଛି ସେସବୁ ଆମର ଦୃଷ୍ଟିଭଙ୍ଗୀ, ଉପସ୍ଥିତ ବୁଦ୍ଧି, ବିଚାରଶକ୍ତି ଏବଂ ଆମର ଆଚରଣ ଓ ଉଚ୍ଚାରଣ ଉପରେ ଆଧାରିତ। ଏହାହିଁ ଆମର ବର୍ତ୍ତମାନ। ବର୍ତ୍ତମାନ ଆମର ସବୁଠାରୁ ପ୍ରିୟ ସମୟ। ଆଗକୁ କ’ଣ ହେବ, କ’ଣ ଘଟିବ, ତାହା ସଂପୂର୍ଣ୍ଣ ଅନିଶ୍ଚିତ। ଭବିଷ୍ୟତ ପାଇଁ ଅବଶ୍ୟ ସ୍ବପ୍ନ ଦେଖିହେବ, ସମ୍ଭାବନା ସବୁର ପରିକଳ୍ପନା କରିହେବ। ତେବେ ବର୍ତ୍ତମାନର ସ୍ଥିତି ଉପରେ ଆମେ କେତେମାତ୍ରାରେ ଦୃଢ଼ ଭାବରେ ଛିଡ଼ା ହୋଇପାରିଛୁ, କେଉଁଭଳି ଭାବରେ ଆମେ ଆମର ପରିଚୟ ସୃୃଷ୍ଟି କରିପାରିଛୁ, ତାକୁ ଇ ନେଇ ଭବିଷ୍ୟତର ପରିକଳ୍ପନା ହୁଏତ ସମ୍ଭବ।
ଜୀବନରେ ଦୁଃଖ କଷ୍ଟ ଯନ୍ତ୍ରଣା ସହିବାଠାରୁ ସୁଖ ସଫଳତା, ପ୍ରାଚୁର୍ଯ୍ୟ ବୈଭବ ପ୍ରାପ୍ତି ପର୍ଯ୍ୟନ୍ତ, ଭାଇ ଭାଇ ଭିନ୍ନେ ଭାଗ ହେବା ଠାରୁ ଜୁଇରେ ବାପା ମାଆଙ୍କର ଚିତା ଜାଳିବା ଯାଏଁ, ପ୍ରେମିକାର ପ୍ରେମାଭିନୟଠାରୁ ପତ୍ନୀଙ୍କର ଫରମାଇସ୍‌, ଥଟ୍ଟା ପରିହାସଯାଏଁ, ଚାକିରି ଆରମ୍ଭଠାରୁ ଅବସର ନେବାଯାଏଁ, ବାଲ୍ୟ ଜୀବନର ଦୁଷ୍ଟାମିଠାରୁ ପରିଣତ ବୟସର ପରିପକ୍ୱ ବିଚାରଯାଏଁ ସବୁ କାର୍ଯ୍ୟକ୍ରମ ଓ ପରିସ୍ଥିତିର ନିୟନ୍ତ୍ରକ ସମୟ। ଜୀବନ ଯାତ୍ରାପଥରେ ପାଦ ଝୁଣ୍ଟି ପଡ଼ିବାର ଆଶଙ୍କା ଥିବାବେଳେ ସମୟ ଆମକୁ ସଚେତନ ଓ ସତର୍କ କରିଥାଏ। ସମୟ ବି ଚିହ୍ନେଇଦିଏ କିଏ ବନ୍ଧୁ କିଏ ବଇରି, କିଏ ବିଶ୍ୱସ୍ତ କିଏ ବେଇମାନ, କିଏ ସଚ୍ଚୋଟ କିଏ ସୈତାନ, କିଏ ରକ୍ଷକ କିଏ ଭକ୍ଷକ, କିଏ ପ୍ରେମିକ କିଏ ପ୍ରତାରକ, କିଏ ଆସ୍ତିକ କିଏ ନାସ୍ତିକ, କିଏ ସମଦର୍ଶୀ କିଏ ସ୍ବାର୍ଥାନ୍ବେଷୀ!
ତଥାପି ମନ ମାନେନା, ହୃଦୟ ବୁଝେନା। ବିତିଯାଇଥିବା ସମୟ କି ଚାଲି ଯାଇଥିବା ସମୟ ଯେମିତି ଆମ ଜୀବନରୁ ଆମ ବୟସ, ଆମ ପିଲାଦିନ, ସ୍ନେହ ପ୍ରେମ ବନ୍ଧୁତା ଚୋରି କରିନେଇ ଆମକୁ ନିରୁପାୟ, ବେସାହାରା ବନେଇ ଦେଇଛି! ତେଣୁ ମନରେ ବିଦ୍ରୋହ ଜାଗେ; ହେଃ ସମୟ ଦାଉସାଧୁଛି ବୋଲି ତ ଦିନକୁ ଦିନ ଦହଗଞ୍ଜ, ଦୁର୍ବିଷହ ଲାଗୁଛି ଜୀବନ। ସମୟ ସାଥ୍‌ ଦେଉନାହିଁ ବୋଲି ତ ପ୍ରେମରେ ଧୋକା ଦେଇ ପାଖରୁ ପ୍ରେମିକା ଦୂରେଇଗଲା ବହୁଦୂରକୁ, ବନ୍ଧୁତାରେ ଫାଟ କରି ପ୍ରିୟ ବନ୍ଧୁ ହୋଇଗଲା ଗୋଛିକଟା ଗୋବର୍ଦ୍ଧନ! ସତରେ ସମୟ ବେଳେବେଳେ ଏମିତି ଦୁଃସମୟ ରୂପ ନିଏ। ସଙ୍କଟ ଭିତରକୁ ଟାଣିନିଏ ଜୀବନକୁ, ଜଗତକୁ। କରୋନା କାଳରେ ସମୟ ଯେ କେତେ ନିଷ୍ଠୁର ନିଦାରୁଣ ହୋଇପାରେ, ତା’ର ଚାକ୍ଷୁଷ ପ୍ରମାଣ ମହାବିପଦରୁ ବର୍ତ୍ତି ଯାଇଥିବା ଆମେ ସମସ୍ତେ ଭୁକ୍ତଭୋଗୀ ମଣିଷ।
ଆମ ସଭିଙ୍କ ପାଇଁ ଦିନରାତି ଚବିଶ ଘଣ୍ଟାର ସମୟ ସମାନ। ସମୟର ସଦୁପଯୋଗ ନ କରି ନିଜ ସପକ୍ଷରେ ନିଜେ ଯୁକ୍ତି ବାଢ଼ି କହିବା ନିଷ୍ପ୍ରୟୋଜନ ଯେ, ଏବେ ସମୟ ଭଲ ନାହିଁ। ହୁଏତ ଆଗକୁ ଭଲ ସମୟ ଆସୁଛି କି ଆସିବ! ସମୟକୁ କେବେବି ଆମେ ଆମ ସପକ୍ଷରେ ଆଣିପାରିବୁ ନାହିଁ। ସମୟର ଗତି ସହ ଆମ ସଭିଙ୍କର ଜୀବନର ଗତି ଯୋଡ଼ା। ସମୟକୁ ଅବଜ୍ଞା କରିବା ଅସମ୍ଭବ, ସାଧ୍ୟାତୀତ। କାରଣ ମଣିଷ ସମୟର ଦାସ!
ଡ୍ୟୁପ୍ଲେକ୍ସ: ୧୦(ବି), ବୀମା ବିହାର,
ମର୍କତନଗର, ସେକ୍ଟର-୬, କଟକ
ମୋ: ୯୪୩୭୦୯୦୮୮୫


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

ପତ୍ରେ ପତ୍ରେ ଠକ

ବର୍ତ୍ତମାନ ସମୟରେ ଡିଜିଟାଲ ଆରେଷ୍ଟ ଏକ ଭୟଙ୍କର ଅନ୍‌ଲାଇନ ଅପରାଧ ଭାବେ ଉଭା ହେଲାଣି। ଏଥିରେ ଠକମାନେ ନିଜକୁ ପୋଲିସ, ସିବିଆଇ, ଆର୍‌ବିଆଇ କିମ୍ବା ନାର୍କୋଟିକ୍ସ...

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri