ମାସ୍କ ନ ପିନ୍ଧିବାରୁ ଭାରତୀୟ ମହିଳାଙ୍କୁ ମାଡ଼

ସିଙ୍ଗାପୋର,୧୦।୫: ଭାରତୀୟଙ୍କ ପ୍ରତି ଘୃଣା ଅପରାଧର ଏକ ଘଟଣା ସାମ୍ନାକୁ ଆସିଛି ସିଙ୍ଗାପୋରରୁ। ମାସ୍କ ନ ପିନ୍ଧିବାରୁ ଜଣେ ୫୫ ବର୍ଷୀୟା ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଗାଳିଗୁଲଜ କରିବା ସହ ଜଣେ ଯୁବକ ଗୋଇଠା ମାରିଛନ୍ତି।

ବେସରକାରୀ ଟ୍ୟୁଶନ କରୁଥିବା ହିନ୍ଦୋଚା ନୀତା ବିଷ୍ଣୁଭାଇ ଶୁକ୍ରବାର ସକାଳେ ରାସ୍ତାରେ ଚାଲୁଥିବାବେଳେ ହଠାତ୍‌ ଜଣେ ଯୁବକ ଠିକ୍‌ ସେ ମାସ୍କ ପିନ୍ଧିବାକୁ କହିବା ସହ ଗାଳିଗୁଲଜ କରିଥିଲେ। ଏହାପରେ ତାଙ୍କ ଛାତିକୁ ଗୋଇଠା ମାରି ଚାଲି ଯାଇଥିଲେ ଉକ୍ତ ଯୁବକ। ନର୍ଥଭାଲେ କଣ୍ଡୋମିନିୟମ୍‌ସ୍ଥିତ ବସ୍‌ ଷ୍ଟପ୍‌ ପାଖରେ ଘଟିଥିବା ଏହି ଘଟଣାରେ ହିନ୍ଦୋଚା ଆହତ ହୋଇଛନ୍ତି। ଘଟଣା ସମୟରେ ହିନ୍ଦୋଚାଙ୍କ ସହ ଥିଲେ ଝିଅ ପ୍ରବୀନ କୌର। ପୋଲିସ ଅଭିଯୋଗ ପରେ ଘଟଣାର ତଦନ୍ତ ଚାଲିଛି।

ସିଙ୍ଗାପୋର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନରେ ୬ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ କୋଭିଡ୍‌-୧୯ରୁ ସୁରକ୍ଷିତ ରହିବା ପାଇଁ ମାସ୍କ ପିନ୍ଧିବାକୁ କୁହାଯାଇଛି। ଘର ବାହାରେ ଦୌଡ଼ିବା ଭଳି ଏକ୍ସରସାଇଜ ବିନା ମାସ୍କରେ କରିପାରିବେ। କିନ୍ତୁ ସାଧାରଣ ଗତିରେ ଚାଲିବାବେଳେ ମାସ୍କ ପିନ୍ଧିବା ନିହାତି ଦରକାର ବୋଲି ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି।

Share