ଆମେରିକୀୟ ସେନାର ଖବରୀଙ୍କୁ ଆମେରିକାରେ ଗୁଳି କରି ହତ୍ୟା

ଓ୍ବାଶିଂଟନ୍‌,୯।୭: ଆମେରିକାର ୱାଶିଂଟନରେ ଆଫଗାନିସ୍ତାନର ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଯୁବକ ଜଣକ ଆଫଗାନିସ୍ତାନରେ ରହୁଥିବାବେଳେ ଆମେରିକୀୟ ସେନାକୁ ସାହାଯ୍ୟ କରୁଥିଲେ। ତେବେ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଆଫଗାନିସ୍ତାନ ଯୁବକ ଆମେରିକାରେ ପଳାଇ ଆସିଥିଲେ। ଯୁବକ ଜଣକ ହେଲେ ଅହମ୍ମଦ ୟାର (୩୧) ବୋଲି ଜଣାପଡିଛି।

ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଅହମ୍ମଦ ୟାରଙ୍କ ସମସ୍ତ ପରିବାର ଆଫଗାନିସ୍ତାନରେ ରୁହନ୍ତି। ସେ ଆମେରିକା ଆସିବା ପରେ ଏକ ରାଇଡ-ସେୟାର ଡ୍ରାଇଭର ଭାବରେ କାମ କରୁଥିଲେ। ଗତ ସୋମବାର ରାତିରେ ସେ ଗାଡି ଚଳାଇ ୱାଶିଂଟନ ରାସ୍ତାରେ ଯାଉଥିଲେ। ସେହି ସମୟରେ ଜଣେ ଦୃର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଥିଲା।

ଅହମ୍ମଦଙ୍କ ହତ୍ୟା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏପର୍ଯ୍ୟନ୍ତ ପୋଲିସ କାହାକୁ ଗିରଫ କରିନାହିଁ। ପୋଲିସର ସୂଚନାନୁସାରେ, ଘଟଣାସ୍ଥଳରେ ଚାରିଜଣ ବ୍ୟକ୍ତି ଦୌଡୁଥିବାର ସିସିଟିଭିରେ କଏଦ ହୋଇଛି। ଏହି ମାମଲାରେ, ଯିଏ ସନ୍ଦିଗ୍ଧ ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେବ ତାଙ୍କୁ ପୋଲିସ ୨୫ହଜାର ଡଲାର ପୁରସ୍କାର ପ୍ରଦାନ କରିବ ବୋଲି ଘୋଷଣା କରିଛିି।

Share