Categories: ଜାତୀୟ

ଉପହାରରେ ଦେଇଥିବା ଫୋନ ନ ଫେରାଇବାରୁ ଗର୍ଲଫ୍ରେଣ୍ଡଙ୍କୁ ହତ୍ୟା

ପାକୁର,୫।୪: ଉପହାରରେ ଦେଇଥିବା ସ୍ମାର୍ଟ ଫୋନ ଫେରାଇବାକୁ ମନା କରି ଦେବାରୁ ଜଣେ ନାବାଳିକାଙ୍କୁ ହତ୍ୟା କରିଛନ୍ତି ତାଙ୍କ ପୁରୁଷ ବନ୍ଧୁ। ଏଭଳି ଘଟଣା ଝାଡ଼ଖଣ୍ଡର ପାକୁର ଜିଲାରେ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି।

ମହେଶପୁର ଥାନା ଅଞ୍ଚଳର ବାସିନ୍ଦା ନାବାଳିକା ରବିବାର ରାତିଠାରୁ ନିଖୋଜ ଥିଲେ। ସେ ତାଙ୍କ ବୟଫ୍ରେଣ୍ଡ (୨୦)ଙ୍କ ସହ ଫୁଟ୍‌ବଲ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ ବୋଲି ସେମାନେ କହିଛନ୍ତି। ସୋମବାର ସକାଳେ ଏକ ନିର୍ଜନ ସ୍ଥାନରୁ ତାଙ୍କ ମୃତଦେହ ମିଳିଛି। ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କ ସହ ଗତ ଦୁଇ ବର୍ଷ ହେଲା ରିଲେଶନଶିପ୍‌ରେ ଥିଲେ ବୋଲି ପୀଡ଼ିତାଙ୍କ ମାମୁଁ କହିଛନ୍ତି।

ସେ ନିୟମିତ ଭାବେ ନାବାଳିକାଙ୍କ ଘରକୁ ଆସନ୍ତି। ରାତିରେ ମଧ୍ୟ ରୁହନ୍ତି। କିନ୍ତୁ ତାଙ୍କ ପରିବାର ଲୋକେ ତାଙ୍କର ବିବାହ ଅନ୍ୟତ୍ର ଠିକ୍‌ କରଦେଇଥିଲେ। ଏଥିଯୋଗୁ ସେ ନାବାଳିକାଙ୍କୁ ଉପହାରରେ ଦେଇଥିବା ଫୋନ ଫେରସ୍ତ ମାଗିଥିଲେ। କିନ୍ତୁ ସେ ଫୋନ ଦେବାକୁ ମନା କରିଥିଲେ। ଏହାକୁ ନେଇ ଝଗଡ଼ା ହେବା ପରେ ସେମାନେ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ ବୋଲି ମୃତକଙ୍କ ମାମୁଁ କହିଛନ୍ତି।

ଅଭିଯୁକ୍ତଙ୍କୁ କାନକାରବୋନା ଅଞ୍ଚଳରୁ ଗିରଫ କରାଯାଇଛି। ପଚରାଉଚରା ବେଳେ ମ୍ୟାଚ୍‌ରୁ ଫେରିଲା ବେଳେ ଫୋନ ଦେବାକୁ ମନା କରି ଦେବାରୁ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ଦେଇଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି।

Share