Categories: ଜାତୀୟ

ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀ ମନା କରିବାରୁ ସ୍ବାମୀ ନେଲେ ଏମିତି ନିଷ୍ପତ୍ତି

ଲକ୍ଷ୍ନୌ,୨୭।୫: ଉତ୍ତରପ୍ରଦେଶର ମୁଜାଫରନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ସ୍ବାମୀ ତାଙ୍କୁ ଗୁଳି କରି ହତ୍ୟା କରିବା ସହ ୩ ପିଲାଙ୍କୁ କେନାଲରେ ଫିଙ୍ଗି ଦେଇଛନ୍ତି। ସୂଚନାଯୋଗ୍ୟ, ମୁଜଫରନଗର ପୁରକାଜୀ ଥାନା ଅଞ୍ଚଳରେ ଘର କଳିର ଏକ ଚରମ ପରିଣତି ଦେଖିବାକୁ ମିଳିଛି। ସୋମବାର ବିଳମ୍ବିତ ରାତିରେ ଗୋଟିଏ ପରିବାରରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ବାମୀ ସ୍ତ୍ରୀଙ୍କୁ ଗୁଳି କରିଥିଲେ। ୩ ପିଲାଙ୍କୁ ଧରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ମୃତକଙ୍କ ପିତା ଏନେଇ ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ପୋଲିସ ଶେଷରେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ପଚରାଉଚରାବେଳେ ସେ ନିଜ ଦୋଷ ମାନିବା ସହ ନାବାଳକ ପିଲାଙ୍କୁ କେନାଲରେ ଫୋପାଡି ଦେଇଥିବା କହିଥିଲେ। ସ୍ତ୍ରୀ ୧୫ ଦିନ ହେବ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ଏହି ନିଷ୍ପତ୍ତି ନେଇଥିବା ସେ କହିଥିଲେ।

ସୂଚନାଯୋଗ୍ୟ, ୧୦ ବର୍ଷ ପୂର୍ବେ ଉଭୟଙ୍କ ବିବାହ ହୋଇଥିଲା। ପୂର୍ବରୁ ମୃତ ମହିଳା ଜଣଙ୍କ ଅଭିଯୁକ୍ତଙ୍କ ବଡ ଭାଇଙ୍କୁ ବିବାହ କରିଥିଲେ। କିନ୍ତୁ ତାଙ୍କ ବଡ ଭାଇଙ୍କ ମୃତ୍ୟୁ ହୋଇଯିବାରୁ ଭାଉଜଙ୍କୁ ବିବାହ କରିଥିଲେ ଅଭିଯୁକ୍ତ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଉଭୟଙ୍କ ସବୁବେଳେ ଝଗଡା ହେଉଥିଲା।

Share