ବିଶ୍ୱର ଏକାକୀ ରହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ

ବ୍ରାସିଲିଆ,୨୯।୮:: ବିଶ୍ୱର ସବୁଠାରୁ ଏକୁଟିଆ ରହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବ୍ରାଜିଲର ରେନ୍‌ ଫରେଷ୍ଟରୁ ତାଙ୍କ ମୃତଦେହ ମିଳିଛି। ମୃତ ବ୍ୟକ୍ତିଙ୍କ ବାବଦରେ କାହାରି ପାଖରେ କୌଣସି ତଥ୍ୟ ନ ଥିବା ବେଳେ ଦୀର୍ଘ ୨୬ ବର୍ଷ ଧରି ବ୍ୟକ୍ତି ଜଣକ ଏହି ବିଶାଳ ଜଙ୍ଗଲରେ ଏକାକୀ ଜୀବନ କାଟୁଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ରହସ୍ୟମୟ ବ୍ୟକ୍ତି ବୋଲି ମଧ୍ୟ ସମ୍ବୋଧନ କରାଯାଏ। ‘ମ୍ୟାନ୍‌ ଅଫ୍‌ ଦ ହୋଲ୍‌’ ଭାବେ ମଧ୍ୟ ସେ ଖୁବ୍‌ ପରିଚିତ। ପଶୁଙ୍କୁ ଶିକାର କରିବା ପାଇଁ ଗାତ ଖୋଳିବାରେ ସେ ଖୁବ୍‌ ନିପୁଣ ବୋଲି କୁହାଯାଏ। ଏହି ବ୍ୟକ୍ତିଙ୍କ ମୃତ୍ୟୁ ପରେ ବ୍ରାଜିଲରେ ଦେଖାଯାଉଥିବା ତାନାରୁ ଆଦିବାସୀ ସମ୍ପ୍ରଦାୟର ଲୋପ ଘଟିଛି। ୧୯୯୫ରେ ୬ ଆଦିବାସୀଙ୍କୁ ହତ୍ୟା କରିବା ପରେ ଏକୁଟିଆ ଏହି ବ୍ୟକ୍ତି ଜଣକ ଜୀବିତ ଥିଲେ। ଜମି ବିବାଦ କାରଣରୁ ସ୍ଥାନୀୟ କୃଷକ ୧୯୭୦ରେ ତାନାରୁ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ହତ୍ୟା କରିଥିଲେ। ମୃତ୍ୟୁ ବେଳକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୬୦ ବର୍ଷ ହୋଇଥିବା ବେଳେ ସ୍ବାଭାବିକ ଭାବେ ତାଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରକାଶ ପାଇଛି। ବ୍ୟକ୍ତି ଜଣକ ରହୁଥିବା କୁଡ଼ିଆ ଉପରେ କୌଣସି ଆକ୍ରମଣ କିମ୍ବା ମୃତ ବ୍ୟକ୍ତିଙ୍କ ଶରୀରରେ କୌଣସି ପ୍ରକାର କ୍ଷତଚିହ୍ନ ନ ଥିବା ପୋଲିସ କହିଛି। ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଡାକ୍ତରଖାନା ପଠାଯାଇଥିବା ବେଳେ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

Share