Categories: ଜାତୀୟ

୩ ମାସରେ ୩ ଝିଅ ନିଖୋଜ ହେବା ପରେ ଲୋଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ମୁଜାଫାରନଗର, ୨୪।୫ : ଉତ୍ତର ପ୍ରଦେଶର ମୁଜାଫରନଗରର ସୁଜୁଦ ଗ୍ରାମର ଜଣେ ବ୍ୟକ୍ତିଙ୍କ ୩ ଝିଅ ଗତ ୩ ମାସରେ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହାୟତା ଲୋଡ଼ିଛନ୍ତି ନିଖୋଜ ୩ ଝିଅଙ୍କ ବାପା ମହମ୍ମଦ ଶୌକିନ।

ପୋଲିସ ନିକଟରେ କରିଥିବା ଅଭିଯୋଗରେ ୩ ଜଣଙ୍କ ଉପରେ ସନ୍ଦେହ ପ୍ରକଟ କରିଥିଲେ। ହେଲେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ।

ଶୌକିନଙ୍କ ୨୦ ବର୍ଷୀୟା ବଡ଼ ଝିଅ ଜଣେ ଯୁବକଙ୍କ ସହ ଫେରାର ହୋଇ ବିବାହ କରି ନେଇଛନ୍ତି। ସେ ସୁରକ୍ଷା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ବଡ଼ ଝିଅ ଫେରାର ହୋଇଯିବା ପରେ ଦୁଇ ନାବାଳିକାଙ୍କୁ ଏଥି ନେଇ ଦୋଷ ଦେଇଥିଲେ ବାପା ଓ ଭାଇ। ଏଥି ଯୋଗୁ ସେମାନେ ଘର ଛାଡ଼ି ପଳାଇଛନ୍ତି। ସେମାନଙ୍କୁ ଖୋଜା ଚାଲିଛି ବୋଲି ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି।

ଗ୍ରାମରେ ରହୁଥିବା ଆଜାଦ, ତାଙ୍କ ଭାଇ ଓ ବାପାଙ୍କ ବିରୋଧରେ ବଡ଼ ଝିଅକୁ ଅପହରଣ କରିବା ଅଭିଯୋଗ ଆଣିଥିଲେ ଶୌକିନ। ଇଦ୍‌ର ଗୋଟିଏ ଦିନ ପୂର୍ବରୁ ତାଙ୍କର ଦୁଇ ନାବାଳିକା ଝିଅ ମାର୍କେଟ ଯାଉଥିବା କହି ଘରୁ ଯାଇଥିଲେ। କିନ୍ତୁ ଆଉ ଫେରି ନ ଥିଲେ। ତଦନ୍ତ ବେଳେ ପୋଲିସ ହାତରେ ଲାଗିଥିଲା ଶୌକିନଙ୍କ ବଡ଼ ଝିଅ ହାଇକୋର୍ଟଙ୍କୁ ପଠାଇଥିବା ବିବାହ ପ୍ରମାଣପତ୍ର।

Share