Categories: ଜାତୀୟ

‘ଜୟ ଶ୍ରୀ ରାମ’ ସ୍ଲୋଗାନ ସହ ବିବାହ ଭୋଜିରେ ପଶି ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ଭୋପାଳ,୧୩।୧୨: ‘ଜୟ ଶ୍ରୀ ରାମ’ ସ୍ଲୋଗାନ ସହକିଛି ଲୋକ ମଧ୍ୟପ୍ରଦେଶର ମନ୍ଦସାଉର ଅଞ୍ଚଳରେ ରବିବାର ଆୟୋଜିତ ଏକ ବିବାହ କାର୍ଯ୍ୟକ୍ରମରେ ପ୍ରବେଶ କରି ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏ ଘଟଣାକୁ କେନ୍ଦ୍ର କରି ସହରରେ ବିକ୍ଷୋଭ ପ୍ରଦର୍ଶନ ପରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଆକ୍ରମଣକାରୀମାନେ ଦକ୍ଷିଣପନ୍ଥୀ ଗ୍ରୁପ୍‌ର ବୋଲି ସନ୍ଦେହ କରାଯାଉଛି। ହେଲେ ଏହା ଉପରେ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ।

ଅପରାହ୍ନ ପ୍ରାୟ ୨ଟା ବେଳେ ‘ଜୟ ଶ୍ରୀ ରାମ’ ସ୍ଲୋଗାନ ଦେଇ କିଛି ଲୋକ ମନ୍ଦସାଉରରେ ଚାଲିଥିବା ଏକ ବିବାହ କାର୍ଯ୍ୟକ୍ରମରେ ପଶି ଯାଇଥିଲେ। ସେମାନେ ବାଉଁସ ସହ କିଛି ମାରଣାଅସ୍ତ୍ର ଆଣି ଆସିଥିଲେ। ସେମାନଙ୍କୁ ଦେଖିବା ପରେ ଭୟବୀତ ହୋଇ ଦୌଡ଼ିବା ଆରମ୍ଭ କରିଥିଲେ ବିବାହ କାର୍ଯ୍ୟକ୍ରମରେ ଯୋଗାଦେଇଥିବା ଅତିଥିମାନେ। ଏହା ମଧ୍ୟରେ ପୂର୍ବତନ ସରପଞ୍ଚ ଦେବୀଲାଲ ମୀନାଙ୍କୁ ଗୁଳି କରିଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ବରିଷ୍ଠ ପୋଲିସ ଅଧିକାରୀ ଅମିତ ବର୍ମା କହିଛନ୍ତି।

୧୧ ଜଣ ନାମଧିନ ବ୍ୟକ୍ତିଙ୍କ ନାମରେ ହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଛି। ଦୁଇ ଥର ସରପଞ୍ଚ ମୀନାଙ୍କୁ ଶାସକ ଭାଜପାର ସମର୍ଥନ ରହିଥିଲା। ବିବାହ କାର୍ଯ୍ୟକ୍ରମର ସେ ମୁଖ୍ୟ ଆୟୋଜକ ଥିଲେ।

Share