କୋଭିଡ-୧୯ ପାର୍ଟିରେ ଯୋଗ ଦେଇ ପ୍ରାଣ ହରାଇଲେ ଯୁବକ

ଟେକ୍ସାସ,୧୩।୭: ବିଶ୍ୱରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ଏବେସୁଦ୍ଧା ବିଶ୍ୱରେ ୧.୩୦ କୋଟି ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷରୁ ଅଧିକଙ୍କର ଜୀବନ ଗଲାଣି। ଆମେରିକାରେ ଏବେବି କରୋନା ସଂକ୍ରମଣ କମିବାର ନାଁ ନେଉନି। ଏତେ ଭୟାବହତା ପରେ ବି କେତେଜଣ ଏବେବି କରୋନାକୁ ଏତେ ଗୁରୁତ୍ୱର ସହ ନେଉନାହାଁନ୍ତି। ଆମେରିକାର ସେନ ଆଣ୍ଟୋନିଓରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି କରୋନାକୁ ହାଲୁକା ଭାବେ ନେଇ ଏକ କୋଭିଡ ପାର୍ଟିରେ ଯୋଗଦେବା ପରେ ତାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଟେକ୍ସାସରେ ରହୁଥିବା ଏହି ବ୍ୟକ୍ତି ଜଣକ କରୋନା ଭାଇରସକୁ ଅତି ହାଲ୍‌କା ଭାବେ ନେଇଥିଲେ। ଏହାପରେ ସେ କୋଭିଡ-୧୯ରେ ପୀଡ଼ିତ ତାଙ୍କ ବନ୍ଧୁଙ୍କ ପାର୍ଟିରେ ପହଞ୍ଚିଥିଲେ। ଆଉ ଏହାପରେ ସେ ବି କରୋନାରେ ସଂକ୍ରମିତ ହୋଇଥିଲେ। ହସ୍ପିଟାଲ ସୂତ୍ରରୁ ମିଳିଥବା ଖବରରୁ ଜଣାପଡିଛି କି ଜଣେ ବ୍ୟକ୍ତି କରୋନାରେ ପୀଡ଼ିତ ହେବା ପରେ ଏକ କୋଭିଡ୧୯ ପାର୍ଟିର ଆୟୋଜନ କରିଥିଲେ। ସେଥିରେ ସେ ଦେଖିବାକୁ ଚାହୁଁଥିଲେ କି ପାର୍ଟିରେ ଯୋଗ ଦେଉଥିବା ବନ୍ଧୁମାନଙ୍କୁ କୋଭିଡ ହେଉଛି ନା ନାହିଁ। ତାହାହିଁ ହେଲା। ଏଥିରେ ଯୋଗ ଦେଇଥିବା ଜଣେ ସୁସ୍ଥ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ତାଙ୍କର ଚିକିତ୍ସା ସମୟରେ ସେ ମାନିଥିଲେ ଯେ ସେ ନିଶ୍ଚିତ ଭାବେ କିଛି ଭୁଲ୍‌ କରିଛନ୍ତି। ବ୍ୟକ୍ତି ଜଣକ ଭାବୁଥିଲେ ବର୍ତ୍ତମାନ ସେ ଯୁବକ ଥିବାରୁ କରୋନା ଭାଇରସ ତାଙ୍କର କିଛି କ୍ଷତି ଘଟାଇ ପାରିବ ନାହିଁ। ଆଉ ତାଙ୍କୁ ଚିକିତ୍ସା କରୁଥିବା ନର୍ସ କହିଥିଲେ ଯୁବକମାନେ ଉପରକୁ ସୁସ୍ଥ ସବଳ ଦେଖାଯାଆନ୍ତି। ହେଲେ ସେମାନଙ୍କର ଅକ୍ସିଜେନ୍‌ ଲେବଲ ଓ ଲ୍ୟାବ ଟେଷ୍ଟ କରିବା ପରେ ସେମାନେ କେତେ ଅସୁସ୍ଥ ତାହା ଜଣାପଡିଥାଏ।

Share