Categories: ଜାତୀୟ

ବୁଲାଇ ନେବା ବାହାନାରେ ସ୍ତ୍ରୀଙ୍କୁ ପାହାଡ଼ରୁ ଦେଲେ ଠେଲି

ନୂଆଦିଲ୍ଲୀ,୨୭।୭: ସ୍ତ୍ରୀଙ୍କୁ ଉତ୍ତରାଖଣ୍ଡର ନେନିତାଲର ଏକ ପାହାଡ଼ରୁ ଠେଲି ଦେବା ଅଭିଯୋଗରେ ୨୪ ବର୍ଷୀୟ ସେଲ୍ସମ୍ୟାନଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ମହିଳାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଗତ ବର୍ଷ ଜୁନରେ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରାଯାଇଥିବା ଅଭିଯୋଗ ଆଣିଥିଲେ ୨୯ ବର୍ଷୀୟା ବବିତା। ଏହାକୁ ଭିତ୍ତି କରି ଦିଲ୍ଲୀ ପୋଲିସ ରାଜେଶ ରାଇ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା। ଗତ ଅକ୍ଟୋବରରେ ଅଭିଯୁକ୍ତ ବିବାହ ପାଇଁ ରାଜି ହେବା ପରେ ବବିତା ଅଭିଯୋଗ ଫେରାଇ ନେଇଥିଲେ। ଦିଲ୍ଲୀର ତିହାର ଜେଲରୁ ମୁକୁଳିବା ପରେ ରାଜେଶଙ୍କୁ ବିବାହ କରିଥିଲେ ବବିତା।

ସ୍ବାମୀ ଶାରୀରିକ ନିର୍ଯାତନା ଦେଉଥିବାରୁ ଘର ଲୋକଙ୍କ ପାଖକୁ ଫେରି ଯାଇଥିଲେ ବବିତା। ବହୁ ବୁଝାଶୁଝା କରିବା ପରେ ବବିତା, ରାଜେଶଙ୍କ ପାଖକୁ ଫେରିଥିଲେ। ବୁଲାଇ ନେବା ବାହାନରେ ଜୁନ ୧୧ ତାରିଖରେ ବବିତାଙ୍କୁ ନେଇ ଯାଇଥିଲେ ରାଜେଶ ତାଙ୍କ ଗାଁ ଉତ୍ତରାଖଣ୍ଡର ଉଧମ ସିଂ ନଗର ଜିଲାକୁ। ଏହାପରଠୁ ବବିତାଙ୍କ ଫୋନ ଲଗାତାର ସୁଇଚ୍‌ ଅଫ୍‌ ଦେଖାଇଥିଲା। ଏଥି ଯୋଗୁ ସନ୍ଦେହ ସୃଷ୍ଟି ହୋଇଥିଲା ଦିଲ୍ଲୀରେ ଥିବା ବବିତାଙ୍କ ପରିବାର ଲୋକଙ୍କ ମନରେ। ଏହାପରେ ସେମାନେ ପୋଲିସରେ ଅଭିଯୋଗ କରିଥିଲେ। ପଚରାଉଚୁରା ବେଳେ ନେନିତାଲ ପାହଡ଼ରୁ ଠେଲି ଦେଇଥିବା ସ୍ବୀକାର କରିଥିଲା ଅଭିଯୁକ୍ତ ରାଜେଶ।

Share