ହିଜାବ ସପକ୍ଷରେ ବାହାରିଲେ ଷ୍ଟାର ଫୁଟ୍‌ବଲର ପୋଗବା

ନୂଆଦିଲ୍ଲୀ,୧୧।୨: କର୍ନାଟକର ଏକ ଉଡୁପି ଜିଲାର ସରକାରୀ କଲେଜର ଛାତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଛି। ଏହି ଆନ୍ଦୋଳନର ସମର୍ଥନରେ ବାହାରିଛନ୍ତି ମାଞ୍ଚେଷ୍ଟର ୟୁନାଇଟେଡ୍‌ ଫୁଟ୍‌ବଲର ପଲ ପୋଗବା। ସେ ଇନ୍‌ଷ୍ଟାଗ୍ରାମରେ ଏକ ଷ୍ଟୋରି ଶେୟାର କରିଛନ୍ତି ‘କଲେଜରେ ହିଜାବ ପିନ୍ଧିବା କାରଣରୁ ମୁସଲିମ ଯୁବତୀଙ୍କୁ ହିନ୍ଦୁତ୍ୱ ଗୁଣ୍ଡା ହଇରାଣ କରୁଛନ୍ତି’।

ଫିଫା ବିଶ୍ୱକପ୍‌ ଜିତିଥିବା ଫ୍ରାନ୍ସ ଦଳର ସଦସ୍ୟ ପୋଗବାଙ୍କ ମା’ ଜଣେ ମସୁଲିମ। ଲଣ୍ଡନରେ ପ୍ରତିଷ୍ଠିତ ‘ଇସଲାମ ଇଜ ମାଇ ଡିନ’ ନାମକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ପକ୍ଷରୁ ଶେୟାର କରାଯାଇଥିବା ୫୮ ସେକେଣ୍ଡର ଲମ୍ବା ରିଲକୁ ସେ ଶେୟାର କରିଛନ୍ତି।

କ୍ଲିପ୍‌ ଆରମ୍ଭରୁ ହିଜାବ ପିନ୍ଧିଥିବା ଛାତ୍ରୀଙ୍କ ଛୋଟିଆ ଗ୍ରୁପ୍‌କୁ ଚାରି ଆଡ଼ୁ ସାର୍ଫନ ସ୍କାର୍ଫ ପିନ୍ଧିଥିବା ଏବଂ ଉଡ଼ାଉଥିବା ଛାତ୍ରୀଛାତ୍ରଙ୍କ ଗୋଷ୍ଠୀ ଘେରି ରଖିଥିବା ଦେଖିବାକୁ ମିଳୁଛି। ସାର୍ଫନ ସ୍କାର୍ଫରେ ଥିବା ଛାତ୍ରୀଛାତ୍ର ସ୍ଲୋଗାନ ଦେଉଥିବା ଶୁଣାଯାଉଛି। କିଛି ଅନ୍ୟ ବ୍ୟକ୍ତି ହାତକୁ ହାତ ଧରି ଛାତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି। ଘଟଣାସ୍ଥଳରେ ଦୁଇ ପୋଲିସ କର୍ମୀଙ୍କୁ ଦେଖିବାକୁ ମିଳୁଛି। ତେବେ ଏହି ଘଟଣା କେବେ ଓ କେଉଁଠାରେ ଭିଡିଓ ଶୁଟ୍‌ କରାଯାଇଛି, ତାହା ଜଣାପଡ଼ି ନାହିଁ।

ହିଜାବ ପ୍ରସଙ୍ଗରେ ସୋସିଆଲ ମିଡିଆରେ ପୋଷ୍ଟ କରିବାରେ ପୋଗ୍‌ବା ପ୍ରଥମ ଅନ୍ତର୍ଜାତୀୟ ତାରକା ନୁହନ୍ତି। ଏଥି ପୂର୍ବରୁ ବୁଧବାର ନୋବେଲ ପୁରସ୍କାର ପ୍ରାପ୍ତ ମଲାଲା ୟୁସୁଫଜାଇ ହିଜାବ ପ୍ରସଙ୍ଗ ଟୁଇଟ୍‌ କରିଥିଲେ।

Share