Categories: ଜାତୀୟ

ଝିଅର ମୃତଦେହକୁ ୩୫ କି.ମି ବୋହିନେଲେ ବାପା

ଭୋପାଳ, ୯ା୫ : ବାପା ଝିଅର ମୃତଦେହକୁ କାନ୍ଧେଇ ୩୫ କିମି ଚାଲି ଚାଲି ପହଞ୍ଚିଛି ଶବ ବ୍ୟବଚ୍ଛେଦ ଗୃହରେ। ମଧ୍ୟପ୍ରଦେଶର ସିଙ୍ଗରାଉଲି ଜିଲାରୁ ଆସିଛି ଏହି ହୃଦୟ ବିଦାରକ ଦୃଶ୍ୟ।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ କିଛି ଗ୍ରାମବାସୀଙ୍କ ସହ ୧୬ ବର୍ଷୀୟା ଝିଅର ମୃତଦେହକୁ କାନ୍ଧେଇ ଚାଲି ଚାଲି ପାହାଡ଼ ଚଢ଼ୁଥିବା ଦେଖିବାକୁ ମିଳିଛି। ନାବାଳିକା ଜଣକ ଗତ ୫ ତାରିଖରେ ଆତ୍ମହତ୍ୟା କରିଥିଲେ। ପରେ ଗାଡାଇ ଗ୍ରାମରେ ପହଞ୍ଚିଥିଲା ପୋଲିସ ଓ ନିର୍ଦ୍ଦେଶ ଦେଇଥିଲା ୩୫ କିମି ଦୂର ବ୍ୟବଚ୍ଛେଦ ଗୃହକୁ ନେବାକୁ। ଅର୍ଥଭାବ ଯୋଗୁ ମୃତଦେହ ପାଇଁ କୌଣସି ଗାଡ଼ି ବ୍ୟବସ୍ଥା କରିପାରି ନ ଥିଲେ ପରିବାର ଲୋକେ। ପୋଲିସ ଅଧିକାରୀମାନେ ମଧ୍ୟ କୌଣସି ବ୍ୟବସ୍ଥା କରି ନ ଥିଲେ। ଫଳରେ ବାଧ୍ୟ ହୋଇ ମୃତକଙ୍କ ବାପା ଧିରପତି ସିଂ ଗୋଣ୍ଡଙ୍କ ସହ ଅନ୍ୟ ଗ୍ରାମବାସୀମାନେ ଖଟରେ ବୋହି ନେଇଥିଲେ ମୃତଦେହ। ଏଥି ନେଇ ସେମାନଙ୍କୁ ଲାଗିଥିଲା ୭ ଘଣ୍ଟା।

ଘଟଣା ସମ୍ପର୍କରେ ପଚାରିବାରୁ ପୋଲିସ ଅଧିକାରୀ ଅରୁଣ ସିଂ କହିଛନ୍ତି, ମୃତଦେହ ନେବାଆଣିବା ପାଇଁ କୌଣସି ପ୍ରକାର ବଜେଟ ଆଲଟ କରାଯାଇ ନାହିଁ। ଏଣୁ ଗାଡ଼ି ବ୍ୟବସ୍ଥା କରିବାସମ୍ଭବ ନୁହେଁ।

Share