୩୬ ବର୍ଷ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ସଠିକ୍‌ ଭବିଷ୍ୟବାଣୀ କରୁଛନ୍ତି ଏହି ବ୍ୟକ୍ତି

ବିଶିଷ୍ଟ ଐତିହାସିକ ଏବଂ ଆମେରିକାନ ୟୁନିଭରସିଟିର ପ୍ରଫେସର ଆଲନ ଲିଚମ୍ୟାନ୍‌ ୩୬ ବର୍ଷ ହେବ ଆମେରିକା ରାଷ୍ଟପ୍ରତି ନିର୍ବାଚନକୁ ନେଇ ସଠିକ୍‌ ଭବିଷ୍ୟବାଣୀ କରୁଛନ୍ତି। ୨୦୧୬ରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ଭବିଷ୍ୟବାଣୀ ମଧ୍ୟ ଲିଚ୍‌ମ୍ୟାନ୍‌ କରିଥିଲେ। ସେତେବେଳେ ସେ କହିଥିଲେ ଦ୍ୱିତୀୟଥର ଶାସନ ଗାଦିକୁ ଫେରିବା ସମ୍ବବ ନୁହେଁ। ତାଙ୍କ ଭବିଷ୍ୟବାଣୀ ଏଥର ସତ ହେଲା ପରି ଲାଗୁଛି। କାରଣ ଏଥର ନିର୍ବାଚନରେ ଟ୍ରମ୍ପ ନିଜ ପ୍ରତିଦ୍ୱନ୍ଦୀ ଜୋ ବାଇଡେନ୍‌ଙ୍କଠାରୁ ପଛରେ ଅଛନ୍ତି। ଲିଚମ୍ୟାନଙ୍କ ଭବିଷ୍ୟବାଣୀ ହ୍ବାଇଟ୍‌ ହାଉସର ୧୩ଟି ମୌଳିକ ଢାଞ୍ଚା ଉପରେ ଆଧାରିତ। ଅର୍ଥବ୍ୟବସ୍ଥା, ଦାୟିତ୍ୱ, ପ୍ରତିଯୋଗିତା, ଯୋଜନାରେ ପରିବର୍ତ୍ତନ, ଘୋଟାଲା, ସାମାଜିକ ଅସ୍ଥିରତା ଭଳି ଘଟଣାକୁ ନେଇ ଭବିଷ୍ୟବାଣୀ କରନ୍ତି ଲିଚ୍‌ମ୍ୟାନ୍‌। ତାଙ୍କ ମାପ ଅନୁଯାୟୀ, ଯଦି ଏଥିରୁ ଛଅ କିମ୍ବା ଅଧିକ ଘଟଣା ଖରାପ ଅଛି ତେବେ ହ୍ବାଇଟ ହାଉସରେ ଟ୍ରମ୍ପ ପ୍ରଶାସନ ରହିବ ନାହିଁ। ଲିଚମାନ କହିଛନ୍ତି ଯେ, ପ୍ରାର୍ଥୀଙ୍କୁ ତୁଳନା କରି ପାରମ୍ପରିକ ଭାବରେ ନିର୍ବାଚନ ଫଳାଫଳ ଅନୁମାନ କରାଯାଏ। ତେବେ ଶାସକ ଦଳର ବାକି ରେକର୍ଡ ଉପରେ ତାଙ୍କର ଧ୍ୟାନ ରହିଛି। ଆଲାନ ଲିଚ୍‌ମ୍ୟାନ କହିଛନ୍ତି ଯେ ମୋର ୧୩ଟି ମୌଳିକ ତଥ୍ୟରେ ୬ଟି ନକାରାତ୍ମକ ଘଟଣା ରିପବ୍ଲିକାନ୍ସର ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟକୁ ସୂଚିତ କରେ। ୨୦୧୯ ପର୍ଯ୍ୟନ୍ତ ଟ୍ରମ୍ପଙ୍କ କେବଳ ୪ଟି ନକାରାତ୍ମକ ଜିନିଷ ଥିଲା। ଗତ କିଛି ମାସ ହେବ ୩ଟି ଘଟଣା ଟ୍ରମ୍ପ ପ୍ରଶାସନ ବିପକ୍ଷରେ ଯାଇଛି। ଏମିତି ୭ଟି ମୁଦ୍ଦା ରହିଛି ଯାହା ଫଳରେ ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ପରାଜୟ ସମ୍ଭାବନା ସୃଷ୍ଟି ହୋଇଥିବା ସେ କହିଛନ୍ତି। ୧୯୮୪ରୁ ଲିଚ୍‌ମ୍ୟାନ୍‌ ଏହି ଭବିଷ୍ୟବାଣୀ କରି ଆସୁଥିବା ଜଣାପଡିଛି।

 

 

Share