ଭୋପାଳ, ୩୧।୮: କୁହାଯାଏ, ବୁଡ଼ିଯାଉଥିବା ଲୋକ କୁଟା ଖିଅକୁ ମଧ୍ୟ ଭରସା କରିଥାଏ। କିନ୍ତୁ ଏଠାରେ ବୁଡ଼ି ଯାଉଥିବା ଜଣେ ଲୋକକୁ ମନ୍ଦିର ଚୂଳ ସାହାରା ଦେଇଛି। ମନ୍ଦିରରେ ଅବସ୍ଥାପିତ ଭଗବାନ ନିଜେ ସିନା ବନ୍ୟା ଜଳରେ ବୁଡ଼ି ଯାଇଥିଲେ, କିନ୍ତୁ ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଦେଇଛନ୍ତି। ଏଭଳି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି। ଭିଦିଶା ସହର ଦେଇ ପ୍ରବାହିତ ବେତବା ନଦୀ ବିପଦ ସଙ୍କେତର ବହୁତ ଉପରେ ପ୍ରବାହିତ ହେଉଛି। ଫଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ନଦୀ କୂଳରେ ଅବସ୍ଥାପିତ ମନ୍ଦିରଗୁଡ଼ିକ ମଧ୍ୟ ବୁଡ଼ି ଯାଇଛି।
ଏଠାରେ ଜଣେ ଯୁବକ ସୋମବାର ଗାଧୋଉଥିବା ସମୟରେ ପାଦ ଖସିଯିବାରୁ ନଦୀ ମଧ୍ୟକୁ ଖସି ପଡ଼ିଥିଲେ। ଫଳରେ ପ୍ରଖର ସୁଅରେ ଯୁବକଜଣଙ୍କ ଭାସି ଯାଇଥିଲେ। ସୌଭାଗ୍ୟବଶତଃ ଯୁବକଜଣଙ୍କ ସମ୍ପୂର୍ଣ୍ଣ ବୁଡ଼ିଯାଇଥିବା ଏକ ମନ୍ଦିରର ଚୂଳକୁ ଧରି ରହିଯାଇଥିଲେ। ଏହାପରେ ସେଠାରେ ଉପସ୍ଥିତ ଲୋକ ଓ ପୋଲିସ କର୍ମଚାରୀ ଏକ ଟାୟାରରେ ରଶି ବାନ୍ଧି ଯୁବକଙ୍କ ନିକଟକୁ ଫିଙ୍ଗିଥିଲେ। ଯୁବକଜଣଙ୍କ ଟାୟାରକୁ ଧରିବା ପରେ ଲୋକେ ତାଙ୍କୁ ରଶି ସହାୟତାରେ ଭିଡି ଭିଡି କୂଳକୁ ଆଣିଥିଲେ।