ସତରେ, ଏ ମନ ଭାରି ଅମାନିଆ। କେତେବେଳେ କୁଆଡେ ଉଡିଯାଏ, ତାହା ଆକଳନ କରିବା କଷ୍ଟକର, ନୁହେଁ? ସତେଯେମିତି ଗୋଟିଏ କାଗଜ ଗୁଡି ପରି। ହଁ, ଏପରି ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା ‘ମନ ମୋର କାଗଜ ଗୁଡି’। ସୁମିତ୍ରା ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହାର ସମସ୍ତ କାମ ଶେଷ ହେବା ସହ ରିଲିଜ ଅପେକ୍ଷାରେ ରହିଛି। ଚିତ୍ରଟିର ପ୍ରଯୋଜନା କରିଛନ୍ତି ନବାଗତ ପ୍ରଯୋଜକ ଶିବିର ପରିଡ଼ା ଏବଂ ବିବେକାନନ୍ଦ ବାରିକ। ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଦେବଜ୍ୟୋତି ପାତ୍ର (ଦୀପୁ)। ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଓଡ଼ିଆ ସିନେମାର ମୁଖ୍ୟ ସହକାରୀ ନିର୍ଦ୍ଦେଶକ ଭାବରେ ନିଜ ଦାୟିତ୍ୱକୁ ସୂଚାରୂ ରୂପେ ତୁଲାଇବା ପରେ ଏବେ ସେ ଏହି ହଟ୍ ସିଟ୍ରେ ବସିଛନ୍ତି। ଏଥିରେ ସଂଯୋଜିତ ତଥା ବସନ୍ତରାଜ ସାମଲ ଏବଂ ସୁବତ୍ର ସ୍ବାଇଁଙ୍କ ରଚିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ଜାପାନୀ ଭାଇ। ଦିବ୍ୟସିଂହ ରାୟଙ୍କ କାହାଣୀକୁ ଆଧାର କରି ସଂଳାପ ଲେଖିଛନ୍ତି ମାନସ ପଢ଼ିହାରୀ। ଏହାର ନାୟକ ଭୂମିକାରେ ଦେଖାଦେବେ ରାକେଶ ଏବଂ ତାଙ୍କର ନାୟିକା ସାଜିଛନ୍ତି ଚୁଲବୁଲି ଭୂମିକା। ଜିତୁ, ସୀମା, ଲିପୁନ୍, ସଞ୍ଜୟ, ଭକ୍ତି, ଜ୍ଞାନ, ପ୍ରୀତି, ନାଗେଶ, ଗୁଡି ପ୍ରମୁଖ କଳାକାରଙ୍କୁ ଏଥିରେ ଦେଖିବାକୁ ମିଳିବ।