ବସିବ ଶ୍ରୀମନ୍ଦିର ପରିଚାଳନା ବୈଠକ

ପୁରୀ ଅଫିସ, ୨୧।୫: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ଅପରାହ୍ନ ୪ଟାରେ ଶ୍ରୀମନ୍ଦିର ପରିଚାଳନା ବୈଠକ ଅନୁଷ୍ଠିତ ହେବ। ଏହା ପୂର୍ବରୁ ୧୧ଟାରେ ନୀଳାଦ୍ରି ଭକ୍ତ ନିବାସରେ ଗୁରୁକୁଳ ସବ୍‌କମିଟି ବୈଠକ ବସିବ। ତେବେ ବୈଠକରେ ରୂପରେଖ ସମ୍ପର୍କରେ ଆଲୋଚନା ହେବା ସହ ରଥଯାତ୍ରା ବେଳେ ସମସ୍ତ ନୀତିକାନ୍ତି ଉପରେ ଗୁରତ୍ୱ ଦିଆଯାଇପାରେ।
ଏପଟେ ରଥନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ତିନି ରଥର ସମୁଦାୟ ୪୨ଟି ଚକ ମଧ୍ୟରୁ ୧୮ଟିର ନିର୍ମାଣ ଶେଷ ହୋଇଛି। ଏଥିମଧ୍ୟରେ ତାଳଧ୍ୱଜର ୬, ଦେବଦଳନର ୫ ଏବଂ ନନ୍ଦିଘୋଷ ରଥର ୭ ଚକ ରହିଛି। ସେହିପରି ସାଲଗୁଜ, ଜଳଯନ୍ତ୍ର, ତୀଖ ଗୁଜ, କୁଡୁକା ନିର୍ମାଣ ସରିଛି। ତିନିରଥର ମୋଟ ୨୧ଟି ଅଖ ମଧ୍ୟରୁ ୩ଟି ନାହାକା ଅଖ କାମ ଶେଷ ହୋଇଛି। ଭଉଁରୀ ଅବସରରେ ଉକ୍ତ ୩ଟି ଅଖରେ ଦୁଇଟି ଲେଖାଏ ଚକ ସଂଯୋଗ କରାଯାଇ ଚକାଡେରା ନୀତି ସମ୍ପନ୍ନ କରାଯିବ। ତିନିରଥର ସମସ୍ତ ୪୪ଟି ଯୋଖା ନିର୍ମାଣ ସରିଛି।

Share