ବ୍ରହ୍ମପୁର ଅଫିସ,୧।୧୨: ବଡବଜାର ଥାନା ଅଞ୍ଚଳର ଏକ ଜୁଏଲେରୀରୁ ସୁନା ଅଳଙ୍କାର ଚୋରି ଘଟଣାରେ ପୋଲିସ ଦୋକାନ ମ୍ୟାନେଜର ଓ ସେଲ୍ସ ମ୍ୟାନ୍ଙ୍କୁ ଅଟକ ରଖିଛି। ସେମାନେ ହେଲେ ବଡବଜାର ଥାନା ଫାଷ୍ଟଗେଟର ନିରଞ୍ଜନ ଦାସ ଏବଂ ନରେନ୍ଦ୍ରପୁର ଥାନା ଅଧୀନ ନରେନ୍ଦ୍ରପୁର ଗୌଡ଼ ସାହିର ରାଜେଶ ସେଠୀ। ଏନେଇ ପୋଲିସ ଏକ ମାମଲା (ନଂ. ୩୨୬/୨୨) ରୁଜୁ କରି ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି।
ବଡବଜାରରେ ଥିବା ରାମା ଜୁଏଲେରୀରେ ସେମାନେ କାମ କରୁଥିବା ବେଳେ ଗତ ୮ମାସ ହେଲା ସୁନା ଅଳଙ୍କାର ଚୋରି କରୁଥିଲେ ବୋଲି ପୋଲିସକୁ କହିଛନ୍ତି। ଚୋରି ସୁନା ଅଳଙ୍କାରକୁ ପର୍ଯ୍ୟାୟ କ୍ରମେ ବିଭିନ୍ନ ସ୍ଥାନରେ ବିକ୍ରି କରିଛନ୍ତି। ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତଦ୍ୱୟଙ୍କୁ ଥାନାରେ ମୁହାଁମୁହିଁ ଜେରା କରାଯାଉଛି।
ପ୍ରକାଶ ଯେ, ରାମା ଜୁଏଲେରୀରେ ନିରଞ୍ଜନ ମ୍ୟାନେଜର ଭାବେ ଓ ରାଜେଶ ସେଲସ୍ମ୍ୟାନ ଭାବେ କାମ କରୁଥିଲେ। ନିରଞ୍ଜନଙ୍କ ଉପରେ ମାଲିକ ପି. ଭେଙ୍କଟ ରାଓ ପାତ୍ର ବିଶ୍ୱାସ ରଖି ସମସ୍ତ ଦାୟିତ୍ୱ ଦେଇଥିଲେ। ଇତିମଧ୍ୟରେ ଗତ ୮ମାସ ମଧ୍ୟରେ ଉଭୟେ ମିଶି ଦୋକାନରୁ ସୁନା ଅଳଙ୍କାର ଲୁଟିଥିଲେ। ସୁନା ଅଳଙ୍କାର ହିସାବ ଠିକ୍ ନ ଥିବା ମାଲିକ ଜାଣିବା ପରେ ବୁଧବାର ଥାନାରେ ଅଭିଯୋଗ କରିଥିଲେ। ଦୋକାନରୁ ୪୭୫.୬୮୦ ଗ୍ରାମ୍ ସୁନା ଅଳଙ୍କାର ଗାଏବ ହୋଇଥିବା ସେ ଦର୍ଶାଇଥିଲେ।