ଫେରାର ମ୍ୟାନେଜର ପୁରୀରୁ ଗିରଫ

ବାସୁଦେବପୁର,୨୨।୭ (ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁରରେ କାର୍ଯ୍ୟ କରୁଥିବା ଭିକ୍ଟର ଫାଇନାନ୍ସ ନାମକ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ମ୍ୟାନେଜର କମ୍ପାନୀର ପ୍ରାୟ ୫.୨୪ ଲକ୍ଷ ଟଙ୍କା ନେଇ ଗତ ଜୁନ୍‌ ୧୪ରୁ ଫେରାର ଥିଲେ। ଫେରାର ମ୍ୟାନେଜର ଦେବବ୍ରତ ନାୟକଙ୍କୁ ବାସୁଦେବପୁର ପୋଲିସ ପୁରୀରୁ ଗିରଫ କରିଛି। ଦେବବ୍ରତଙ୍କ ଘର କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଧୀନ ଦଇନିଗିରି ଗ୍ରାମରେ। ପୋଲିସ ତାଙ୍କଠାରୁ କମ୍ପାନୀର ୨ ଲକ୍ଷ ୮୭ ହଜାର ୯ଶହ ଟଙ୍କା ଜବତ କରିଛି। ସେ କମ୍ପାନୀର ପ୍ରାୟ ୫.୨୪ ଲକ୍ଷ ଟଙ୍କା ଆଦାୟ କରି କମ୍ପାନୀରେ ଜମା କରି ନ ଥିଲେ। ଏ ସମ୍ପର୍କରେ କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର ଶମ୍ଭୁପ୍ରସାଦ ସେଠୀ ଜୁନ୍‌ ୧୪ରେ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ମାମଲା (ନଂ.୪୦୬/୨୩) ରୁଜୁ କରି ପୋଲିସ ତଦନ୍ତ ଚଳାଇଥିଲା। ଭଦ୍ରକ ସଦର ଏସ୍‌ଡିପିଓ ସୌରଭ ଓତାଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ଜିତେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ପୁରୀରୁ ଦେବବ୍ରତଙ୍କୁ ଗିରଫ କରିଥିବା ଆଇଆଇସି ସାବିତ୍ରୀ ପଣ୍ଡା କହିଛନ୍ତି।