ଜୁଏଲାରୀ ମାଲିକଙ୍କ ମାଡ଼ରେ ମ୍ୟାନେଜରଙ୍କ ମୃତ୍ୟୁ, ୩ ଗିରଫ

ଝାରସୁଗୁଡା ଅଫିସ,୧୫।୮: ଝାରସୁଗୁଡ଼ା ସହରରେ ଥିବା ଏକ ଜୁଏଲାରୀ ମାଲିକଙ୍କ ମାଡ଼ରେ ମ୍ୟାନେଜର ଗୁରୁତର ହୋଇ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଥିଲେ। ରବିବାର ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବୌଦ୍ଧ ଜିଲା ମନମୁଣ୍ଡା ଥାନା ମହେଶପଡା ଗ୍ରାମର ସୁରେଶ ପାଣ୍ଡେ। ଏ ନେଇ ମୃତକଙ୍କ ମା’ କୌଶଲ୍ୟାଙ୍କ ଅଭିଯୋଗକୁ ଭିତ୍ତିକରି ଝାରସୁଗୁଡ଼ା ଟାଉନ ଥାନା ପୋଲିସ (କେଶ ନଂ ୪୬୭/୨୨)୩୦୨ ଦଫାରେ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଚଳାଇଛି । ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଜୁଏଲାରୀ ମାଲିକ ନବନିତ ସରାଗୀ(୨୯), କର୍ମଚାରୀ ବନହରପାଲି ଗ୍ରାମର ମେଘନାଦ ପଟେଲ(୨୦) ଓ ବେହେରାପାଟ ଗ୍ରାମର ମହେନ୍ଦ୍ର କିଷାନ(୩୦)ଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲଣ କରିଛି।
ସୂଚନାଯୋଗ୍ୟ, ଜୁଏଲାରୀରେ ସୁରେଶ ମ୍ୟାନେଜର ଭାବେ କାମ କରୁଥିଲେ। ମ୍ୟାନେଜର ଷ୍ଟକରୁ ଧିରେଧିରେ ଅଳଙ୍କାର ଚୋରି କରୁଥିଲେ। ଫଳରେ ଯାଞ୍ଚ ପରେ ଷ୍ଟକ ସଟେଜ ଦେଖାଇଥିଲା । ଏହାର ତଦନ୍ତପରେ ମ୍ୟାନେଜର ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ପ୍ରାୟ ୪୩ ଲକ୍ଷ ଟଙ୍କା ମୂଲ୍ୟର ଗହଣା ଷ୍ଟକରୁ ଚୋରି କରି ମ୍ୟାନେଜର ପାଣ୍ଡେ ବିଭିନ୍ନ ବ୍ୟାଙ୍କରେ ବନ୍ଧକରଖି ଟଙ୍କା ଆଣି ଅନ୍‌ଲାଇନରେ ଜୁଆଖେଳି ସବୁଟଙ୍କା ହରାଇ ଦେଇଥିଲେ।
ଏ ସବୁ ଜଣାପଡିବା ପରେ ଜୁଏଲାରୀ ମାଲିକ ସମ୍ପୃକ୍ତ ମ୍ୟାନେଜରଙ୍କୁ ପୋଲିସରେ ନ ଦେଇ ନିଜେ ଆଇନକୁ ହାତକୁ ନେଇ କର୍ମଚାରୀମାନଙ୍କ ସହିତ ମିଶି ମ୍ୟାନେଜରଙ୍କୁ ଖାଇବାକୁ ନ ଦେଇ ନିସ୍ତୁକ ମାଡ ମାରି ରକ୍ତାକ୍ତ କରି ଦେଇଥିଲେ। ପରେ ଗୁରୁତର ଅବସ୍ଥାରେ ଟାଉନ ପୋଲିସଙ୍କୁ ଜିମା ଦେବାସହ ତାଙ୍କ ନାମରେ ଚୋରି ଅଭିଯୋଗ କରିଥିଲେ। ଜୁଏଲାରୀ ମାଲିକଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଚଳାଇଥିଲା। ଅନ୍ୟପକ୍ଷେ ପୋଲିସ ଗୁରୁତର ମ୍ୟାନେଜରଙ୍କୁ ଚିକିତ୍ସାପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

Share