ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ: ଫିନାଇଲ ପିଇ ସାନ ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ

ଲଖନପୁର,୨୫।୨୦(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବନ ଉନ୍ନୟନ ନିଗମ ସବ୍‌ ଡିଭିଜନାଲ ମ୍ୟାନେଜର ବାସୁଦେବ ପାଲ୍‌ଙ୍କ ମଙ୍ଗଳବାର ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି । ଏନେଇ ତାଙ୍କ ଝିଅ ଝାରସୁଗୁଡା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ସେ ଦର୍ଶାଇଛନ୍ତି ବିଭାଗୀୟ ଉପରୋକ୍ତ ଅଧିକାରୀଙ୍କ ଚାପରେ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଛି। ଏହାକୁ ଭିତିକରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହ ସମ୍ପୁକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୃତକଙ୍କ ପରିବାର ଦାବି କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଛାଡୁନାହାନ୍ତି। ଏ ନେଇ ମୃତଦେହ ଜିଲା ମୁଖ୍ୟ ଚିକିତ୍ସାଳୟରେ ପଡିରହିଛି । ଅଦ୍ୟାବଧି କୌଣସି ବିଭାଗୀୟ ଅଧିକାରୀ ଚିକିତ୍ସାଳୟରେ ପହଞ୍ଚିନାହାନ୍ତି । ଯାହା ଫଳରେ ମୃତକଙ୍କ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଅନ୍ୟପଟେ ବାପାଙ୍କ ମୃତ୍ୟୁରେ ସାନ ଝିଅ ଲକ୍ଷ୍ମୀପ୍ରୀୟା ଫିନାଇଲ ପିଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି । ତାଙ୍କୁ ଅସୁସ୍ଥ ଅବସ୍ଥାରେ ଚିକିତ୍ସା ପାଇଁ ହସ୍ପିପିଟାଲରେ ଭର୍ତ୍ତି କରାଯାଇଛି॥
ସୂଚନାଯୋଗ୍ୟ, ଅଭିଯୋଗରେ ପରିବାରଲୋକ ଦର୍ଶାଇଛନ୍ତି ଜିଲା ବନ ଉନ୍ନୟନ ନିଗମ ଡିଭିଜନାଲ ମ୍ୟାନେଜର ଦୀର୍ଘ ୧ବର୍ଷ ହେଲାଣି ବାସୁଦେବଙ୍କୁ ବିଭିନ୍ନ ସମୟରେ ଗାଳିଗୁଲଜ କରି ମାନସିକ ଯନ୍ତ୍ରଣା ଦେଉଥିଲେ । ଯାହା ଫଳରେସେ ସବୁବେଳେ ମାନସିକ ଚାପରେ ରହୁଥିଲେ। ଏଭଳି ସ୍ଥିତିରେ ବାସୁଦେବ ପ୍ରତିଦିନ ଭଳି ମଙ୍ଗଳବାର ଅଫିସକୁ ଯାଇଥିଲେ। ଅଫିସକୁ ଯିବା ପରେ ତାଙ୍କୁ ଉପରୋକ୍ତ ଅଧିକାରୀ କୌଣସି କାମରେ ତାଙ୍କ ବାସଭବନକୁ ଡାକିଥିଲେ । ସେଠାରେ ତାଙ୍କୁ ମାନସିକ ଯନ୍ତ୍ରଣା ଦେବା ପରେ ସେ ହଠାତ୍‌ ତଳେ ପଡିଯାଇଥିଲେ । ତାପରେ ବିଭାଗୀୟ କର୍ମଚାରୀମାନେ ତାଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।