ଭୁବନେଶ୍ୱର, ୪ା୬(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନରେ ବିଜେଡିର ୩ ପ୍ରାର୍ଥୀ ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ସସ୍ମିତ ପାତ୍ର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ଥିଲା। ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଅବଧି ରହିଥିଲା। ହେଲେ କୌଣସି ପ୍ରାର୍ଥୀ ପ୍ରତ୍ୟାହାର ନ କରିବା ପରେ ସମସ୍ତେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ରାଜ୍ୟ ସଭା ନିର୍ବାଚନ ଲାଗି ବିରୋଧୀଙ୍କ ପାଖରେ ସଂଖ୍ୟା ନ ଥିବାରୁ ସେମାନେ ପ୍ରାର୍ଥୀ ଦେଇ ନ ଥିଲେ। ଏଣୁ ବିଜେଡି ଯେଉଁ ୩ ଜଣଙ୍କୁ ପ୍ରାର୍ଥୀ କରିଥିବା ସମସ୍ତେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଯାଇଛନ୍ତି। ନିର୍ବାଚିତ ହେବାପରେ ରିଟର୍ନିଂ ଅଫିସରଙ୍କଠାରୁ ୩ ଜଣ ଯାକ ସାର୍ଟିଫିକେଟ ଗ୍ରହଣ କରିଛନ୍ତି। ପ୍ରଥମ ଥର ଲାଗି ମାନସ ଏବଂ ସୁଲତା ରାଜ୍ୟ ସଭାକୁ ଯାଉଥିବା ବେଳେ ସସ୍ମିତ ଦ୍ୱିତୀୟ ଥର ଲାଗି ରାଜ୍ୟ ସଭା ଯାଉଛନ୍ତି। ଅନ୍ୟପଟେ କଟକ ମେୟର ସୁବାସ ସିଂଙ୍କ ସ୍ଥାନରେ ରାଜ୍ୟ ସଭା ଯାଉଥିବା ନିରଞ୍ଜନ ବିଶିଙ୍କ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ୬ ତାରିଖ ରହିଛି। ତେଣୁ ଏହା ଭିତରେ ଯଦି ସିଏ ନାମାଙ୍କନ ପ୍ରତ୍ୟାହାର ନ କରନ୍ତି ତେବେ ସେ ମଧ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ରାଜ୍ୟ ସଭା ଯିବେ। ସୂଚନାଯୋଗ୍ୟ ଯେ, ପ୍ରସନ୍ନ ଆଚାର୍ଯ୍ୟ, ଏନ୍. ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେବାପରେ ଏହି ୩ ଆସନ ଲାଗି ରାଜ୍ୟ ସଭା ନିର୍ବାଚନ ଲାଗି ଘୋଷଣା ହୋଇଥିଲା। ସେହିପରି ସୁବାସ ସିଂଙ୍କୁ ବିଜେଡି କଟକ ମେୟର ପ୍ରାର୍ଥୀ କରିବା ପରେ ସେ ସେଥିରେ ବିଜୟୀ ହେଲେ। ଏହାପରେ ତାଙ୍କୁ ରାଜ୍ୟ ସଭାରୁ ଇସ୍ତଫା ଦେବାକୁ ପଡ଼ିଲା। ତାଙ୍କ ସ୍ଥାନରେ ବିଜେଡି ପଶ୍ଚିମ ଓଡିଶାର ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ୪ ବର୍ଷ ଲାଗି ରାଜ୍ୟ ସଭା ଉପନିର୍ବାଚନରେ ପ୍ରାର୍ଥୀ କରିଛି।