Categories: ଜାତୀୟ

ମନମୋହନଙ୍କୁ ଭେଟିବାକୁ ଫଟୋଗ୍ରାଫର ଧରି ଯାଇଥିଲେ ମାଣ୍ଡବ୍ୟ

ନୂଆଦିଲ୍ଲୀ,୧୮।୧୦: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ ମାଣ୍ଡବ୍ୟ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବିଭିନ୍ନ କାର୍ଯ୍ୟକୁ ନେଇ ସମାଲୋଚିତ ହୋଇଆସୁଛନ୍ତି। ସେ କେତେବେଳେ ଟିକାକରଣକୁ ନେଇ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ତ ପୁଣି କେବେ ବିରୋଧୀ ତାଙ୍କ ଇଂଲିଶ ଭାଷା ଜ୍ଞାନ ଉପରେ ପ୍ରଶ୍ନ ଉଠାଉଛନ୍ତି। ମାଣ୍ଡବ୍ୟଙ୍କ ଆଉ ଏକ କାର୍ଯ୍ୟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟିବାରେ ଲାଗିଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂ ଅସୁସ୍ଥ ଥିବାରୁ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। ଡେଙ୍ଗୁରେ ଆକ୍ରାନ୍ତ ମନମୋହନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ ବିଭିନ୍ନ ଦଳର ନେତା ସେଠାକୁ ଯାଉଛନ୍ତି। ଶୁକ୍ରବାର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଧ୍ୟ ଏମ୍ସକୁ ଯାଇଥିଲେ। ମନମୋହନ ଭର୍ତ୍ତି ହୋଇଥିବା ଓ୍ବାର୍ଡକୁ ତାଙ୍କ ସହ ଜଣେ ଫଟୋଗ୍ରାଫର ଯାଇଥିଲେ। ଏହାକୁ ନେଇ ମନମୋହନ ସିଂଙ୍କ ଝିଅ ଦାମନ ସିଂ କହିଛନ୍ତି, ମୋ ବାପା ଚିଡ଼ିଆଖାନାର ଜନ୍ତୁ ନୁହନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଜଣେ ଫଟୋଗ୍ରାଫରଙ୍କୁ ଧରି ଆସିଥିବା ଦେଖି ମା’ ଅପ୍‌ସେଟ୍‌ ହୋଇଯାଇଥିଲେ। ଭାଜପା ନେତାମାନେ ଫଟୋ ଅପ୍‌ (ଫଟୋ ଉଠାଇବା ପାଇଁ ସୁଯୋଗ ଖୋଜିବା) ଲାଗି ବ୍ୟାକୁଳ ହେଉଛନ୍ତି ବୋଲି କଂଗ୍ରେସ ସମାଲୋଚନା କରିଛି। ଏଥିସହ ସ୍ବାସ୍ଥ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ବିରୋଧୀ ଦଳ ଦାବି କରିଛି। ଏଆଇସିସି ମୁଖପାତ୍ର ରଣଦୀପ ସୂର୍ଯ୍ୟଓ୍ବୋଲା ଟୁଇଟ୍‌ କରି ଏହାକୁ ପିଆର୍‌ ଷ୍ଟଣ୍ଟ ବୋଲି କହିଛନ୍ତି।

Share