ମଣ୍ଡେଲାଙ୍କ ଆରେଷ୍ଟ ଓ୍ବାରେଣ୍ଟ ୧.୩୦ ଲକ୍ଷ ଡଲାରରେ ବିକ୍ରି

କେପ୍‌ ଟାଉନ, ୨୮ା୩: ବର୍ଣ୍ଣଭେଦ ବିରୋଧୀ କ୍ରାନ୍ତିକାରୀ ନେତା ତଥା ଦକ୍ଷିଣ ଆଫ୍ରିକାର ପ୍ରଥମ ରାଷ୍ଟ୍ରପତି ନେଲ୍‌ସନ୍‌ ମଣ୍ଡେଲାଙ୍କ ଅରିଜିନାଲ ଆରେଷ୍ଟ ଓ୍ବାରେଣ୍ଟର ନନ୍‌ ଫଞ୍ଜିବଲ ଟୋକନ (ଏନ୍‌ଏଫ୍‌ଟି) ୧,୩୦,୦୦୦ ଡଲାର (ପ୍ରାୟ କୋଟିଏ ଟଙ୍କା)ରେ ନିଲାମ ହୋଇଛି। ଗଣତନ୍ତ୍ର ପାଇଁ ଦକ୍ଷିଣ ଆଫ୍ରିକାର ସଂଘର୍ଷକୁ ଦର୍ଶାଉଥିବା ଏକ ଐତିହ୍ୟସ୍ଥଳୀ ‘ଲିଲିସ୍‌ ଲିଫ୍‌ ମ୍ୟୁଜିୟମ’ ନିମନ୍ତେ ଏହି ଅର୍ଥ ବିନିଯୋଗ କରାଯିବ। ଦକ୍ଷିଣ ଆଫ୍ରିକାରେ ସଂଖ୍ୟାଲଘୁ ଶ୍ୱେତାଙ୍ଗ ସରକାରକୁ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଣ୍ଡେଲାଙ୍କୁ ୧୯୬୨ରେ ଗିରଫ କରାଯାଇଥିଲା। ୨୭ ବର୍ଷ ଜେଲରେ ରହିବା ପରେ ସେ ଦକ୍ଷିଣ ଆଫ୍ରିକାର ପ୍ରଥମ ଅଣଶ୍ୱେତାଙ୍ଗ ରାଷ୍ଟ୍ରପତି ହୋଇଥିଲେ। ଉକ୍ତ ମ୍ୟୁଜିୟମ ୨୦୦୪ରେ ଦକ୍ଷିଣ ଆଫ୍ରିକାର ଗଣତନ୍ତ୍ର ଲାଭ ସମ୍ପର୍କିତ ଅସଲି ଦସ୍ତାବିଜ୍‌ ହାସଲ କରିଥିଲା। ସୂଚନାଯୋଗ୍ୟ, ଏନ୍‌ଏଫ୍‌ଟି ହେଉଛି ଏକ ପ୍ରକାର ଡିଜିଟାଲ ଆସେଟ୍‌ ବା ଡାଟା। ଏହାକୁ ବ୍ଲକଚେନ୍‌ରେ ରେକର୍ଡ କରାଯାଏ। ଜଣେ ବ୍ୟକ୍ତି ଫଟୋ, ଭିଡିଓ, ଫିଲ୍ମ, ଟୁଇଟ୍‌, ଗେମ୍‌, ପେଣ୍ଟିଂ ଆଦି ଅନେକ ଜିନିଷକୁ ଏନ୍‌ଏଫ୍‌ଟିରେ ପରିବର୍ତ୍ତନ କରିବା ସହ ସେଗୁଡ଼ିକୁ ବିକ୍ରି କରିପାରିବେ।

Share