Categories: ଖେଳ

ମନ୍ଧାନା, ହରମନ୍‌ପ୍ରୀତଙ୍କ ଶତକ; ଭାରତର ରୋମାଞ୍ଚକ ବିଜୟ

ବେଙ୍ଗାଲୁରୁ,୧୯ା୬: ସ୍ମୃତି ମନ୍ଧାନା ଓ ଅଧିନାୟିକା ହରମନପ୍ରୀତ୍‌ କୌରଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ମହିଳା ଦିନିକଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚରେ ରୋମାଞ୍ଚକ ବିଜୟ ହାସଲ କରିଛି ଭାରତ। ୪ ରନ୍‌ରେ ଜିତିବା ସହ ଆଗୁଆ ସିରିଜ୍‌ ଜିତବାରେ ସମର୍ଥ ହୋଇଛି ଭାରତ। ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୩ ଉଇକେଟରେ ୩୨୫ ରନ୍‌ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ଚମତ୍କାର ବ୍ୟାଟିଂ କରିଥିଲେ ହେଁ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ହରାଇ ୩୨୧ ରନ୍‌ କରିଥିଲା।

ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ୧୩୬ ରନ୍‌ କରିଥିବା ବେଳେ ହରମନ୍‌ପ୍ରୀତ ଅପରାଜିତ ୧୦୩ ରନ୍‌ କରିଥିଲେ। କ୍ରମାଗତ ମ୍ୟାଚ୍‌ରେ ଶତକ ହାସଲ କରିଥିବା ମନ୍ଧାନା ଅନ୍ତର୍ଜାତୀୟ କ୍ରିକେଟରେ ସପ୍ତମ ଦିନିକିଆ ଶତକ ହାସଲ କରିଛନ୍ତି। ଏହା ସହିତ ସେ ମିଥାଲି ରାଜଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ମିଥାଲି ୨୩୨ ଦିନିକିଆରୁ ୭ ଶତକ ମାରିଥିବା ବେଳେ ୮୪ ତମ ଦିନିକିଆ ମ୍ୟାଚ୍‌ରୁ ଏହି ସଫଳତା ହାସଲ କରିଛନ୍ତି।

ଅନ୍ତିମ ଓଭରରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୧୧ ରନ୍‌ ଆବଶ୍ୟକ ଥିବା ବେଳେ ପୂଜା ବସ୍ତ୍ରକାରଙ୍କ ପ୍ରଥମ ୨ ବଲ୍‌ରୁ ୫ ରନ୍‌ ଆସିଥିଲା। ପରବର୍ତ୍ତୀ ୨ ବଲ୍‌ରେ ସେ ଦୁଇଟି ଉଇକେଟ ନେଇଥିଲେ। ୫ ନମ୍ବର ବଲ୍‌ରୁ ବାଇରେ ୧ ରନ୍‌ ଆସିଥିବା ବେଳେ ଅନ୍ତିମ ବଲ୍‌ ଡଟ୍‌ ହୋଇଥିଲା। ଫଳରେ ଭାରତ ୪ ରନ୍‌ରେ ମ୍ୟଚ୍‌କୁ ଜିତି ନେଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୌରା ଓଲ୍ଭାଡର୍‌ଟ ୧୩୫ ରନ୍‌ କରି ଶେଷ ଯାଏ ଅପରାଜିତ ରହିଥିଲେ। ଅନ୍ୟ ପକ୍ଷରେ ଅଭିଜ୍ଞ ମାରିଜେନ୍‌ କାପ୍‌ ୧୧୪ ରନ୍‌ କରିଥିଲେ। ଦିନିକିଆ ଅନ୍ତର୍ଜାତୀୟରେ ଗୋଟିଏ ମ୍ୟାଚ୍‌ରେ ୪ ଶତକ ପ୍ରଥମ ଥର ଦେଖିବାକୁ ମିଳିଛି। ପୂର୍ବରୁ ୨୦୧୮ରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ୩ଟି ଶତକ ସ୍କୋର ହୋଇଥିଲା।

Share