Categories: ଖେଳ

ମନ୍ଧାନା ଆର୍‌ସିବି ଅଧିନାୟିକା

ବେଙ୍ଗାଲୁରୁ, ୧୯ା୨: ଉଦ୍‌ଘାଟନୀ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ସ୍ବାଭାବିକ ସ୍ମୃତି ମନ୍ଧାନାଙ୍କୁ ଦଳର ଅଧିନାୟିକା ଭାବେ ମନୋନୀତ କରିଛି। ଆର୍‌ସିବି ଚେୟାରମ୍ୟାନ ପ୍ରଥମେଶ ମିଶ୍ରା ଏ ବିଷୟ ଘୋଷଣା କରିଥିଲେ। ଫ୍ରାଞ୍ଚାଇଜ୍‌ର ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ଏକ ଭିଡିଓ ଶେୟାରିଂ ଜରିଆରେ ଅଧିନାୟିକା ମନୋନୀତ କରାଯାଇଥିଲା। ଏଥିରେ ଆର୍‌ସିବିର ବର୍ତ୍ତମାନ ଅଧିନାୟକ ଫାଫ୍‌ ଡୁ’ପ୍ଲେସ ଏବଂ ବିରାଟ କୋହଲି ଭାଗ ନେଇଥିଲେ। ବାମହାତୀ ବ୍ୟାଟର ତଥା ଭାରତୀୟ ଦଳର ଉପ ଅଧିନାୟିକା ମନ୍ଧାନା ନିକଟରେ ମୁମ୍ବାଇରେ ଅନୁଷ୍ଠିତ ଡବ୍ଲ୍ୟୁପିଏଲ୍‌ ନିଲାମିରେ ସବୁଠାରୁ ଦାମୀ ଖେଳାଳି ହିସାବରେ ୩.୪୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ମନ୍ଧାନା ଜଣେ ଓପନିଂ ବ୍ୟାଟର। ସେ ଇତିମଧ୍ୟରେ ୧୧୩ ଅନ୍ତର୍ଜାତୀୟ ମହିଳା ଟି୨୦ ମ୍ୟାଚ ଖେଳି ୨୭.୧୫ ଆଭରେଜରେ ମୋଟ ୨୬୬୧ ରନ ସଂଗ୍ରହ କରିସାରିଛନ୍ତି। ତାଙ୍କ ଷ୍ଟ୍ରାଇକ୍‌ରେଟ୍‌ ୧୨୩.୧୯ ରହିଛି। ଅନ୍ତର୍ଜାତୀୟ ଟି୨୦ ସର୍କିଟରେ ମନ୍ଧାନାଙ୍କର ବିଶେଷ ଚାହିଦା ରହିଛି। ମହିଳା ବିଗ୍‌ ବାଶ ଲିଗ୍‌ରେ ସେ ବ୍ରିସ୍‌ବେନ୍‌୍‌ ହିଟ୍‌ ଓ ସିଡ୍‌ନୀ ଥଣ୍ଡର ତରଫରୁ ଖେଳିଛନ୍ତି। କିଆ ସୁପର ଲିଗ୍‌ରେ ସେ ଓ୍ବେଷ୍ଟର୍ନ ଷ୍ଟର୍ମ ଏବଂ ଦି ହଣ୍ଡ୍ରେଡ୍‌ରେ ସଦର୍ନ ବ୍ରେଭ୍‌ ତରଫରୁ ଖେଳିଛନ୍ତି। ସେ ୧୧ଟି ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟକତ୍ୱ କରିଛନ୍ତି। ତନ୍ମଧ୍ୟରୁ ସେ ୬ଟିରେ ବିଜୟ ଲାଭ କରିଥିବା ବେଳେ ୫ଟିରେ ପରାଜିତ ହୋଇଛନ୍ତି। ମହିଳା ଟି୨୦ ଚ୍ୟାଲେଞ୍ଜରରେ ସେ ଟ୍ରେଲ୍‌ବ୍ଲେଜର୍ସର ଅଧିନାୟିକା ଦାୟିତ୍ୱ ତୁଲାଇଛନ୍ତି। ଦଳକୁ ୨୦୨୦ରେ ଟାଇଟଲ ବିଜୟୀ କରାଇଛନ୍ତି। ସେ ଆଇସିସି କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ମଧ୍ୟ ଲାଭ କରିଛନ୍ତି।

Share