ଜୟପୁର, ୨୮ା୧୧ (ନି.ପ୍ର.): କୃଷକ କଲ୍ୟାଣ ମଞ୍ଚ ପକ୍ଷରୁ ଜୟପୁରସ୍ଥିତ ଜିଲା ଯୋଗାଣ ଅଧିକାରୀ ପ୍ରଦୀପ ପଣ୍ଡାଙ୍କୁ ମଞ୍ଚ ସମ୍ପାଦକ ତଥା ଡିଏଲପିସି ସଭ୍ୟ ନରେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଚାଷୀମାନେ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ଧାନ ମଣ୍ଡି ତୁରନ୍ତ ଆରମ୍ଭ କରିବାକୁ ଦାବି କରାଯାଇଛି। ଚଳିତ ଖରିଫ ଋତୁରେ ଜିଲାରେ ବହୁ ସ୍ଥାନରେ ଧାନ ଅମଳ ସରିବାକୁ ବସିଲାଣି। ଜିଲାରେ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ଛୋଟ ଓ ମଧ୍ୟମ ବର୍ଗର ଚାଷୀ ଅଛନ୍ତି ା ଧାନ ଅମଳ ପରେ ସେମାନେ କୁଲି, ମଜୁରି ପ୍ରଦାନ ଦୈନନ୍ଦିନ ଖର୍ଚ୍ଚ ମେଣ୍ଟାଇବା ଏବଂ ଋଣ ଶୁଝିବାକୁ ଅର୍ଥ ଅଭାବ ହେତୁ ଅତି କମ ଦରରେ କୁଇଣ୍ଟାଲ ପିଛା ୧୨ ଶହରୁ ୧୪ ଶହ ମଧ୍ୟରେ ବ୍ୟବସାୟୀ ଓ ମିଲରମାନଙ୍କୁ ଧାନ ବିକ୍ରୟ କରିବାକୁ ବାଧ୍ୟ ହୋଇଥାନ୍ତି ା ପ୍ରଶାସନ ଏ ଦିଗରେ ଯତ୍ନବାନ ହୋଇ ମଣ୍ଡି ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଆରମ୍ଭ କଲେ ଜିଲାର ବହୁ ଗରିବ ଚାଷୀ ଉପକୃତ ହୋଇପାରିବେ ବୋଲି ମଞ୍ଚ ପକ୍ଷରୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ନିଳକଣ୍ଠ ନାୟକ, ଅଶୋକ ତ୍ରିପାଠୀ, ବିଦୁର ମଣ୍ଡଳ, ରାଧାନାଥ ଭଟ୍ଟ,ଝାଡେଶ୍ୱର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।