ବେଗୁନିଆପଡ଼ା,୨୩।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ ଚାଷୀଙ୍କ ପାଇଁ ମଣ୍ଡି ଖୋଲୁନାହିଁ। ମଣ୍ଡି ଖୋଲାଯାଉ ନ ଥିବାରୁ ଚାଷୀମାନେ ଅଭାବି ବିକ୍ରୀର ସମ୍ମୁଖୀନ ହେଉଛନ୍ତି। ଏପରିକି
ଆନ୍ଧ୍ର ବେପାରୀଙ୍କୁ ବିକ୍ରୟ କରିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଥିବା ବେଳେ ମଣ୍ଡି ଖୋଲାଯିବାକୁ ଋଷିକୂଲ୍ୟା ରୟତ ମହାସଭା ବେଗୁନିଆପଡା ଶାଖା ତରଫରୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି। ବ୍ଲକ ଓ ସମବାୟ ସମିତି ଜରିଆରେ ଟିକିନିଖି ସୂଚନା ଚାଷୀମାନଙ୍କୁ ଜଣାଇବା ବ୍ୟବସ୍ଥା କରାଯାଉ ବୋଲି ସେମାନେ ଦାବିରେ ଉଲ୍ଲେଖ କରିଛନ୍ତି। ମହାସଭାର ମନୋଜ ସାହୁ, ଅରୁଣ ସ୍ବାଇଁ, ଭଗବାନ ସାହୁ, ଜଗନ୍ନାଥ ପଣ୍ଡା, ରାମକୃଷ୍ଣ ଜେନା, ଗୋପୀନାଥ ସ୍ବାଇଁ, ବ୍ରଜ ଚରଣ ପ୍ରଧାନଙ୍କ ସମେତ ଅନେକ ଚାଷୀ ଉପସ୍ଥିତ ରହି ଏହି ଦାବି ପତ୍ର ପ୍ରଦାନ କରିଛନ୍ତି। ଅପରପକ୍ଷେ ଚାଷୀମାନେ ମଧ୍ୟ କୋଦଳା ତହସିଲଦାରଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।