Categories: ଜାତୀୟ

ମଧ୍ୟରାତ୍ରରେ ସ୍ଥଳ ଭାଗ ଛୁଇଁବ ମାଣ୍ଡୋସ

ଚେନ୍ନାଇ,୯।୧୨: ବାତ୍ୟା ମାଣ୍ଡୋସ୍‌ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଶୁକ୍ରବାର ମଧ୍ୟରାତ୍ରରେ ପୁଡ଼ୁଚେରୀ ଓ ଶ୍ରୀହରିକୋଟା ସହ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେତିକିବେଳେ ଘଣ୍ଟା ପ୍ରତି ୮୫ କି.ମି. ବେଗରେ ପବନ ବୋହିବା ସାଙ୍ଗକୁ ତଳିଆ ଅଞ୍ଚଳବାସୀଙ୍କ ଥଇଥାନ, ରିଲିଫ ଓ ବିପର୍ଯ୍ୟୟର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଆଗାମୀ ୬ ଘଣ୍ଟା ଧରି ଭୀଷଣ ସାମୁଦ୍ରିକ ବାତ୍ୟା ମାଣ୍ଡୋସ ତା’ର ତୀବ୍ରତା ବଜାୟ ରଖିବାର ସମ୍ଭାବନା ରହିଛି। ତା’ପରେ ଏହା କ୍ରମଶଃ ଦୁର୍ବଳ ହୋଇ ସାମାନ୍ୟ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ। ଏନେଇ ପଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ‘ଅରେଞ୍ଜ ଆଲର୍ଟ’ ଜାରି କରାଯାଇଛି। ଏନେଇ ଏନ୍‌ଡିଆର୍‌ଏଫ’ ଟିମ୍‌ ମଧ୍ୟ ସଜାଗ ରହିଛନ୍ତି।

ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଶୁକ୍ରବାର ତାମିଲନାଡୁର ୬ଟି ଜିଲାର ସମସ୍ତ ସ୍କୁଲ ଓ କଲେଜକୁ ସରକାର ବନ୍ଦ ଘୋଷଣା କରିଛନ୍ତି। ବାତ୍ୟା ପ୍ରଭାବରେ ଚେନ୍ନାଇ, ଥିରୁଭାଲ୍ଲୁର, ଚେଙ୍ଗାଲପାଟ୍ଟୁ , କାଞ୍ଚିପୁରମ, ଭେଲୋର ଏବଂ ରାନିପେଟାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଏନେଇ ତାମିଲନାଡୁ ସରକାର ଏନ୍‌ଡିଆର୍‌ଏଫ ଏବଂ ରାଜ୍ୟ ସୁରକ୍ଷା କର୍ମଚାରୀଙ୍କୁ ନେଇ ୧୨ଟି ଟିମ୍‌ ଗଠନ କରାଯାଇ ୧୦ଟି ଜିଲାରେ ମୁତୟନ କରାଯାଇଛି।

Share