ଧ୍ୱଂସମୁଖରେ ମାଣ୍ଡୁକା ପାହାଡ଼

ଚଣ୍ଡିଖୋଲ,୮ା୯(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ରହିଛି ମାଣ୍ଡୁକା ପାହାଡ଼। ଏହି ପାହାଡ଼ର ୧୨ ଏକର ପରିମିତ ଜମିକୁ ମୋରମ ଖନନ ପାଇଁ ଲିଜ୍‌ ଆକାରରେ ଦିଆଯାଇଥିବାବେଳେ ଲିଜ୍‌ ଇଲାକା ବାହାରେ ବ୍ୟାପକ ଖନନ କରାଯାଉଛି। ଯାହାକୁ ନେଇ ଆଉ କିଛି ଦିନ ମଧ୍ୟରେ ପାହାଡ ଧ୍ବଂସ ପାଇଯିବା ଆଶଙ୍କା ସୃଷ୍ଟି ହୋଇଛି। ସେହିଭଳି ଏହି ପାହାଡ଼ ନିକଟରେ ଥିବା ଧାଉଡ଼ିଆପଦା, ଚଣ୍ଡିଆ ଓ ଅଚ୍ୟୁତ ବସନ୍ତ ପାହାଡ଼ରେ ମଧ୍ୟ ବେଆଇନ ଖନନ ଚାଲିଛି। ୨୦୨୩ ଜୁଲାଇ ୨ରେ ମାଣ୍ଡୁକା ପାହାଡ଼ରେ ବେଆଇନ ଖନନ ନେଇ ଖଣି ବିଭାଗ, ରାଜସ୍ବ ବିଭାଗ ଓ ପୋଲିସ ମିଳିତ ଚଢ଼ାଉ କରି ଖନନ କରୁଥିବା ଏକ ପୋକଲିନ ମେଶିନ ସହ ୫ ହାଇୱା ଏବଂ ଏକ ଟିପ୍ପରକୁ ଜବତ କରିଥିଲେ। ଏନେଇ ଧର୍ମଶାଳା ଅଞ୍ଚଳର ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ନାମରେ ମାମଲା ରୁଜୁ ହୋଇଥିଲା
ବେଆଇନ ଖନନ ନେଇ ଜିଲା ପ୍ରଶାସନ ପକ୍ଷରୁ ତାଙ୍କ ଉପରେ ଜରିମାନା କରାଯାଇଥିଲା। ଏହା ମଧ୍ୟରେ ୧ ବର୍ଷ ବିତିଯାଇଥିଲେ ବି ଜରିମାନା ଆଦାୟ ହୋଇ ପାରିନାହିଁ। ମାଣ୍ଡୁକା ପାହାଡ଼ ଶୀର୍ଷ ଦେଶରେ ହିନ୍ଦୁ ଓ ମୁସଲମାନଙ୍କ ଭାଇଚାରାର ଧର୍ମପୀଠ ସତ୍ୟପୀର ରହିଛନ୍ତି। ସେହିପରି ପାହାଡ଼ ଅପର ପାର୍ଶ୍ୱରେ ମା’ ନାହାକାଣୀ ପୀଠ ରହିଛି। ଏହାପରେ ବି ବିଭିନ୍ନ ସମୟରେ ପାହାଡ଼ ଅଂଶକୁ ଲିଜ୍‌ ଆକାରରେ ପ୍ରଶାସନ ପକ୍ଷରୁ ଦିଆଯାଉଛି। ଲିଜ୍‌ ଦିଆଯିବା ସ୍ଥାନକୁ ଚିହ୍ନଟ କରି ଚାରିକଡ଼େ ବାଡ଼ ଦିଆଯିବାର ବ୍ୟବସ୍ଥା ଥିଲେ ମଧ୍ୟ କୌଣସି ପାର୍ଶ୍ୱରେ ବାଡ଼ ଦିଆଯାଇନାହିଁ। ସେଥିପାଇଁ ଲିଜ୍‌ ଇଲାକା ବାହାରେ ବେଆଇନ ଭାବେ ଖନନ କରାଯାଉଛି।
ସେହିଭଳି ଧାଉଡ଼ିଆପଦା ପାହାଡ଼ର କୌଣସି ଅଂଶ ଲିଜ୍‌ ଦିଆ ଯାଇ ନଥିଲାବେଳେ ଏଠାରୁ ଦୈନିକ ଶହଶହ ଟ୍ରକ୍‌ ମୋରମ ବେଆଇନ ଭାବେ ଚାଲାଣ ହେଉଛି। ଚଣ୍ଡିଆ ଓ ଅଚ୍ୟୁତ ବସନ୍ତ ପାହାଡ଼ରୁ ମଧ୍ୟ ଚୋରାଚାଲାଣ ହେଉଛି। ଚଣ୍ଡିଆ ପାହାଡ଼ରେ ଦାମୀ ମୂର୍ତ୍ତି ପଥର ମିଳୁଥିବାବେଳେ ଅଚ୍ୟୁତବସନ୍ତ ପାହାଡ଼ରୁ ମୋରମ ଚୋରାଚାଲାଣ କରାଯାଉଥିବା ନେଇ ଅଭିଯୋଗ ଉଠିଛି। ମାତ୍ର ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ଯାଜପୁର ଜିଲା ଖଣି ବିଭାଗ ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଯାଜପୁର ଜିଲାର ଏକ ମାତ୍ର ମାଣ୍ଡୁକା ପାହାଡ଼ର ୧୨ ଏକର ପରିମିତ ସ୍ଥାନକୁ ଲିଜ୍‌ ଦିଆଯାଇଛି। ଯଦି କେହି ଲିଜ୍‌ ଇଲାକା ବାହାରେ ବେଆଇନ ଖନନ କରୁଥିବେ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଗତ ବର୍ଷ ଚଢ଼ାଉ ସମୟରେ ଯେଉଁ ଗାଡ଼ି ଜବତ ହୋଇଥିଲା ସେହି ମାଲିକମାନଙ୍କ ନାମରେ ମାମଲା ହୋଇଛି। ମାପଚୁପ କରି ସେମାନଙ୍କ ଉପରେ ଜରିମାନା ଲାଗୁ ହୋଇଛି। ଏପର୍ଯ୍ୟନ୍ତ ଜରିମାନା ପୈଠ କରାଯାଇନାହିଁ। ଅନ୍ୟ ପାହାଡ଼ରେ କୌଣସି ସ୍ଥାନରେ ଲିଜ୍‌ ଦିଆଯାଇନାହିଁ। ଯଦି କେହି ବେଆଇନ ଖନନ କରୁଥିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।